ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ବାହ୍ୟ ମଳତ୍ୟାଗ ପ୍ରତିହତ ପାଇଁ ତୁଳସୀ କୁଣ୍ଡ ଓ ବେଲଗଛର ସାହାରା …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ ସଂପୂର୍ଣ୍ଣ ବାହ୍ୟ ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିବା ପାଇଁ ଯେଉଁ କେତୋଟି ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଏବଂ ଅନେକ ସଚେତନତା ସତ୍ତ୍ୱେ ସେମାନଙ୍କର ଅଭ୍ୟାସ ଜାରି ରଖୁଛନ୍ତି ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ପ୍ରତିହତ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂତନ କୌଶଳ ପରିପ୍ରକାଶ କରିଛନ୍ତି । ମଳତ୍ୟାଗ କରୁଥିବା ରାସ୍ତା ଯେଉଁ ବିଭାଗର ହୋଇଥିବ ସଂପୃକ୍ତ ବିଭାଗ ସେଠାରେ ବେଲଗଛ ରୋପଣ କରିବେ । ଏହା ବ୍ୟତୀତ ତୁଳସୀ ଗଛକୁ କୁଣ୍ଡରେ ପ୍ରତିରୋପଣ କରାଯାଇ ସେହି ସ୍ଥାନ ମାନଙ୍କରେ ବ୍ୟାପକ ମାତ୍ରାରେ ରଖାଯିବ । ସଂପୃକ୍ତ ଗ୍ରାମବାସୀଙ୍କୁ ମଧ ଏହା ତଦାରଖ କରିବାକୁ ଅନୁରୋଧ କରାଯିବ । ଏହା ଦ୍ଵାରା ବାହ୍ୟ ମଳତ୍ୟାଗ ନିଷେଧ ହୋଇପାରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବାହ୍ୟ ମଳତ୍ୟାଗକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ ବିଭିନ୍ନ ବିଭାଗ ତରଫରୁ ସର୍ବସାଧାରଣ ଶୌଚାଳୟ କରାଯାଉଛି ତାର ସୁଦୃଶ୍ୟତା ଆକର୍ଷଣୀୟ ହେବା ସହ ଉଚ୍ଚମାନର ସଫାସୁତୁରା ରହିବ ଆବଶ୍ୟକ । ଜିଲ୍ଲାରେ ମୋଟା ୬୨୬୧୭୭ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହେବାକୁ ଥିବା ସ୍ଥଳେ ଅଦ୍ୟାବଧି ୫୨୦୯୨୩ ଟି ଶୌଚାଳୟ ନିର୍ମାଣ ହୋଇଛି । ଅବଶିଷ୍ଟକୁ ଚଳିତ ମାସ ଶେଷ ସୁଦ୍ଧା ନିଶ୍ଚିତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ କହିଛନ୍ତି । ଘରୋଇ ପାଇଖାନାରେ ସରକାରଙ୍କ ପ୍ରଦତ୍ତ ଅର୍ଥ ସହିତ ସ୍ଵଚ୍ଛ ଗଂଜାମ ଲୋଗୋ ଓ ପରିବାରର ମୁଖ୍ୟ ମହିଳାଙ୍କ ନାମ ଉଲ୍ଲେଖ ରହିବ । ସର୍ବସାଧାରଣ ଶୌଚାଳୟକୁ କର୍ପୋରେଟ ଶୈଳୀରେ ନିର୍ମାଣ କରିବାକୁ କୁହାଯାଇଛି । ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ନିୟମାବଳୀ ପ୍ରଦାନ କରାଯିବ । ସମସ୍ତ ସରକାରୀ କାର୍ଯ୍ୟାଳୟ ବିଶେଷ କରି ବ୍ଲକ ଅଫିସ ପରିସର ଅଧିକ ସଫାସୁତୁରା ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ତିତିଲି କ୍ଷତିଗ୍ରସ୍ତଙ୍କୁ ଖାଦ୍ୟ ସହାୟତା ବାବଦ ରାଜ୍ୟସରକାର ଦେଇଥିବା ୩୨୬ କୋଟି ଟଙ୍କା ବଣ୍ଟନ କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଓ ବିଜୁପକାଘର ଯୋଜନା କାର୍ଯ୍ୟକୁ ସର୍ବାଧିକ ତ୍ଵରାନିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।  ଧାର୍ଯ୍ୟଲକ୍ଷ୍ୟ ମୁତାବକ ଗ୍ରାମ୍ୟ ଗୃହନିର୍ମାଣ କରିନପାରିଲେ ଏହା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଗୁପ୍ତଚରିତ୍ର ପଞ୍ଜିକାରେ ଉଲ୍ଲେଖ କରାଯିବ । ଯେଉଁ କିନ୍ନରମାନେ ଚାଳଘରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟକରି ସ୍ୱତନ୍ତ୍ର ଭାବରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସାମିଲ କରିବା ପାଇଁ କୁହାଯାଇଛି । ଯେଉଁ ହିତାଧିକାରୀମାନଙ୍କୁ ଗ୍ରାମୀଣ ଗୃହନିର୍ମାଣ ଯୋଜନାରେ ଘର ପ୍ରଦାନ କରାଯାଇଛି ଏବଂ ଯେଉଁ ମାନଙ୍କୁ ଘର ପ୍ରଦାନ ପାଇଁ ତାଲିକାଭୁକ୍ତ କରାଯାଇଛି ଏହାର ତାଲିକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରିୟରଞ୍ଜନ ପୃଷ୍ଟି ,ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିରେ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା