ଜିଲ୍ଲା ସଡକ ନିରାପତ୍ତା କମିଟି ବୈଠକ ଅନୁଷ୍ଠିତ :ବିନା ହେଲିମେଟଧାରୀମାନଙ୍କୁ ପେଟ୍ରୋଲ ଦେଉଥିବା ପେଟ୍ରୋଲପମ୍ପରେ ତାଲା ପକାଇବାକୁ ଜିଲ୍ଲାପାଳଙ୍କ ନିର୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଜିଲ୍ଲା ସଡକ ନିରାପତ୍ତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କମିଟିର ଅଧ୍ୟକ୍ଷ ତଥା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁର୍ଘଟଣା କମାଇବାକୁ କେତକ ପଦକ୍ଷେପ ନିଆଯାଇଛି । ସଡକ ନୀୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ବିନା ହେଲିମେଟଧାରୀମାନଙ୍କୁ ପେଟ୍ରୋଲ ଦେଉଥିବା ପେଟ୍ରୋଲପମ୍ପ ମାଲିକଙ୍କୁ କଡା ନିର୍ଦ୍ଦେଶନାମା ଜାରୀ କରାଯାଇ ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ପେଟ୍ରୋଲ ପମ୍ପ ତାଲା ପକାଇବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଯେତିକି ହମ୍ପସ୍ ଗୁଡିକ ହୋଇଛି ସେଗୁଡି ପୁର୍ନରବାର ଯାଞ୍ଚ୍ କରି ଅଜଥା ହମ୍ପସ୍ ଗୁଡିକୁ ବନ୍ଦ କରାଯିବା ସହ ଜାତୀୟ ରାଜପଥ କଡରେ ବେଆଇନ ପାକିଂ ଉପରେ ପୋଲିସ ଏବଂ ଆରଟିଓ କର୍ମଚାରୀମାନେ ନୀୟମିତ ଚଢଉ କରି ଜୋରିମାନା ଆଦାୟ କରିବାକୁ କହୁଯାଇଛି । ସେମାନଙ୍କୁ ଶିକ୍ଷା ଦେବା ନିମନ୍ତେ ବେଆଇନ ପାକିଂରେ ରଖିଥିବା ଗାଡିଗୁଡିକର ସମସ୍ତ ଟାୟାର ହାୱା ଛାଡିବାକୁ ମଧ୍ୟ କହୁାଯାଇଛି । ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ହେଲେ ଖାଲ ଢେପ ରାସ୍ତାଗୁଡିକ ନୀୟମିତ ମରାମତି କରିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । କଲେଜରେ ପାଠ ପଢୁଥିବା ଯୁବକ/ଯୁବତୀମାନେ ବିନା ହେଲମେଟ୍ ଗାଡି ଚଳାଉଥିବାର ଦେଖିଲେ ସେମାନଙ୍କୁ ହେଲମେଟ୍ ପିନ୍ଧି ଗାଡି ଚଳାଇବା ପାଇଁ ସଚେତନତା କରିବା, ଯେଉଁମାନେ ଏହି ନୀୟମକୁ ଅବମାନନା କରିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଯୁବକମାନେ ସ୍ପିଡରେ ଗାଡି ଚଳାଇଲେ ଏବଂ ବିନା ହେଲମେଟ୍ ଚଳାଇଲେ ଥାନା ଅଧିକାରୀ ସେମାନଙ୍କ ଅଭିଭାବକମାନଙ୍କୁ ଥାନାକୁ ଡାକି କହିବା, ଜାତୀୟ ରାଜପଥ କଡରେ ଥିବା ହମ୍ପସ୍ ଗୁଡିକ କଳା ରଙ୍ଗ ବଦଳରେ କଲର କରାଇବା ଯାହାଦ୍ୱାରା ରାତି ସମୟରେ ଗାଡି ଚଳାଉଥିବା ବ୍ୟକ୍ତିମାନେ ଆଗରୁ ହମ୍ପସ୍ ଅଛି ଦେଖି ଗାଡି ଗତି କମ୍ ପାରିବେ ଯାହାଦ୍ୱାରା ଦୁର୍ଘଟଣା କମିବ ବୋଲି କହିଛନ୍ତି । ଗଂଜାମ ଜିଲ୍ଲାରେ ଗତ ବର୍ଷ ୭୩୮ଟି ଦୁର୍ଘଟଣା ଘଟି ୩୮୯ଜଣ  ମୃତ୍ୟୁବରଣ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ସଡକ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ୩୦ତମ ଜାତୀୟ ସଡକ ନିରାପତ୍ତା ସପ୍ତାହ- ୨୦୧୯ ର ପାଳନ ନିମନ୍ତେ ଫେବୃୟାରୀ ୪ତାରିଖ ଠାରୁ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପାଳନ ଉତ୍ସବ ଛତ୍ରପୁରରୁ ୪ତାରିଖରେ ଆରମ୍ଭ ହୋଇ ୧୦ତାରିଖ ଦିନ ବ୍ରହ୍ମପୁରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପାଳନ ଅବସରରେ ସ୍କୁଲ ଠାରୁ କଲେଜ ସ୍ତର ପର୍ଯ୍ୟନ୍ତ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ନିମନ୍ତେ ସେଲ୍ଫି ଉଚିତ ହେଲ୍ପ କଣ୍ଟେଷ୍ଟ, ବିଭିନ୍ନ ସୋସିଆଲ ମିଡିଆଇ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ମେସେଜ୍ , ଜିଲ୍ଲା ବିଭିନ୍ନ କଂପାନୀରେ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସଚେତନାତ କରାଯିବ । ବିଭିନ୍ନ ନାଟକ ମାଧ୍ୟମରେ ସଚେତନତା କରିବା ନିମନ୍ତେ ସ୍ଥିର କରାଯାଇଛି । ଜିଲ୍ଲାପାଳ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ପୋଲିସ, ପରିବହନ କର୍ମଚାରୀ, ଡାକ୍ତରଖାନା କର୍ମଚାରୀ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ  ଆହ୍ୱାନ ଦେଇଛନ୍ତି । ଗଂଜାମ ଜିଲ୍ଲା ଅଂଚଳ ମଧ୍ୟରେ ଆସୁଥିବା ଜାତୀୟ ରାଜପଥର ବୈଷୟକ ଅନୁଧ୍ୟାନ ହେବ । ଯେଉଁ ସବୁ ସ୍ଥାନରେ ଅନ୍ୟାନ୍ୟ  ବିଭାଗୀୟ ରାସ୍ତା ଜାତୀୟ ରାଜପଥକୁ ସଂଲଗ୍ନ ହୋଇଛି ସେଠାରେ ସତର୍କ ଆଲୁଅ ଲଗାଯିବ । ରାସ୍ତା ଡିଭାଇଡରକୁ ଯେଉଁମାନେ ଭାଙ୍ଗି ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ରାଜସ୍ୱ ଅଧିକାରୀ, ପୋଲିସ, ପରିବହନ ଅଧିକାରୀ ଓ ଜାତୀୟ ରାଜପଥ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ ହେବ ଏବଂ ସେମାନେ ପ୍ରତି ସପ୍ତାହରେ ଥରେ ଲଙ୍ଗଳେଶ୍ୱର ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ  ଗସ୍ତ କରି ରାସ୍ତାକଡରୁ ବେଆଇନ ଅବରୋଧ ଉଚ୍ଛେଦ କରିବା ସହିତ ଅନ୍ୟାନ୍ୟ ଅବ୍ୟବସ୍ଥା ବିଷୟରେ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ଭାରୀଯାନ ପାଇଁ ଜାତୀୟ ରାଜପଥ କଡରେ ସ୍ୱତନ୍ତ୍ର ପାକିଂ ବ୍ୟବସ୍ଥା କରିବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।   ପ୍ରାରମ୍ଭରେ ଏହି ବୈଠକରେ  ଜାତୀୟ ରାଜପଥ ଉପରସ୍ଥ ଅଧିକାରୀ ମାନେ ଯୋଗଦେଇନଥିବାରୁ  ଆଉ ଯେଉଁ କର୍ମଚାରୀ ମାନେ ଯୋଗଦେବାକୁ ଆସିଥିଲେ । ସେମାନଙ୍କୁ ଜିଲ୍ଲାପାଳ ବୈଠକରେ ବସିବାକୁ ଅନୁମତି ଦେଲେ ନାହିଁ ।  ଆଜିର ବୈଠକରେ ଜାତୀୟ ରାଜପଥ ଯେଉଁ ଉପରସ୍ଥ ଅଧିକାରୀ ମାନେ ଆସିନାହାଁନ୍ତି ସେମାନଙ୍କୁ କଡା ନୋଟିସଜାରୀ କରାଯିବ ବୋଲି କହିଥିଲେ ।  ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ,  ଡିଏସପି କେଶବ ଚନ୍ଦ୍ର ବେହେରା,  ବ୍ରହ୍ମପୁର ପୁଲିସ ଜିଲ୍ଲା ର ଅତିରିକ୍ତ ଏସପି ଶାନ୍ତୁନ କୁମାର ଦାଶ, ଡିଏସପି  ବି.କେ. ମିଶ୍ର, ଡିପିସି ବିନୀତା ସେନାପତି, ଗଂଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଏମଭିଆଇ ସମୀର କୁମାର ଦଳେଇ, ଜିଲ୍ଲା ସଡକ ସୁରକ୍ଷା କମିଟିର ସଦସ୍ୟ ବସନ୍ତ କୁମାର ମହାରଣାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟାମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା