

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡ଼ିୟମ୍ ଠାରେ ଜିଲ୍ଲାସ୍ତରୀୟ ଏସଡିସି ଫୁଟବଲ କପ-୨୦୨୦ର ମହିଳା ଦଳ ଚିହ୍ନଟ ପ୍ରକ୍ରିୟାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ସାହା ଏବଂ ଏସପି ସାରା ଶର୍ମା, କାର୍ଯ୍ୟକ୍ରମରେ ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଥିଲେ । ଶୁଭ୍ରାଂଶୁ କୁମାର ପଟ୍ଟନାୟକଙ୍କ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ବହୁ ଆଦିବାସୀ ପ୍ରତିଭାବାନ ଯୁବକ/ଯୁବତୀ ଲୁକ୍କାୟିତ ଅବସ୍ଥାରେ ରହି ଯାଇଛନ୍ତି, ଏମିତିକି ସେମାନେ ଉପଯୁକ୍ତ ତାଲିମ ପାଇବାର ସୁଯୋଗ ମଧ୍ୟ ପାଇଁ ପାରୁନାହାନ୍ତି । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ହୋଇଥିବା ଏହି ଭଳି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ଆଣି ଦେଇଛି । ଆଦିବାସୀ ଯୁବକ/ଯୁବତୀ ମାନେ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେଉଥିବା ଏହି ଜିଲ୍ଲାସ୍ତରୀୟ ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନୋନୀତ ହେବାପରେ ସେମାନେ ଫୁଲବାଣୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ଲିଗ ମ୍ୟାଚରେ ଖେଳିବେ, ପରେ ସେମାନେ ସେଠାରୁ ମନୋନୀତ ହୋଇ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ସୁନ୍ଦରଗଡ଼ ଓ କେନ୍ଦୁଝର ଠାରେ ଅନୁଷ୍ଠିତ ହେବାକୁ ଥିବା ସେମି-ଫାଇନାଲ ଖେଳରେ ଖେଳିବେ । ସେଠାରେ ଭଲ ଖେଳି ମନୋନୀତ ହେଲେ ଫାଇନାଲ୍ ଖେଳ କଟକ ବାରବାଟୀ ଷ୍ଟାଡିଅମ ଠାରେ ଆସନ୍ତା ୫ ତାରିଖ ଦିନ ଖେଳେବେ ବୋଲି କହିଥିଲେ । ତେଣୁ ମନୋନୀତ ଉଭୟ ପୁରୁଷ ଓ ମହିଳା ଫୁଟବଲ ଖେଳାଳି ଦଳ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ କାମନା କରିଥିଲେ । ସେହିଭଳି ଅନ୍ୟତମ ଅତିଥି ଏସପି ସାରା ଶର୍ମା ଯୋଗଦେଇ ହକି ଖେଳରେ ଯେଭଳି ଅଧିକାଂଶ ଆଦିବାସୀ ପିଲା ଦଳ ପକ୍ଷରୁ ଖେଳି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣୁଛନ୍ତି, ଠିକ ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଫୁଟବଲ ଖେଳ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ଯେ, ଫୁଟବଲ ଖବଳରେ ମଧ୍ୟ ଆଦିବାସୀ ଯୁବକ/ଯୁବତୀ ମାନେ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣନ୍ତୁ । ତେଣୁ ନିଜର ଖେଳ ପ୍ରତିଭାକୁ ଉତଥାନ କରିବା ପାଇଁ ଏହା ଏକ ଅପୂର୍ବ ସୁଯୋଗ ବୋଲି କହି ସେମାନଙ୍କ ଭଲ ପ୍ରଦର୍ଶନ ଓ ସଫଳତା କାମନା କରିଥିଲେ । ରାଜ୍ୟସ୍ତରରୁ ଗଜପତି ଜିଲ୍ଲା ପାଇଁ ଆସିଥିବା ଏସଡିସି ଫୁଟବଲ କପର ଅଧିକାରୀ-ସଭ୍ୟ ଦିବ୍ୟଚାନ୍ଦ ଶୁକ୍ଳା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡିଶା ସରକାର, ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲାର ୧୧୭ ଟି ବ୍ଲକରେ ଆଦିବାସୀ ଯୁବକ ଯୁବତୀ ମାନଙ୍କ ଖେଳ ପ୍ରତିଭା’ର ଅନ୍ୱେଷଣ ପାଇଁ ପ୍ରଥମ ଥର ପାଇଁ ରାଜ୍ୟରେ ଏହି ଏସଡିସି ଫୁଟବଲ କପ ‘ର ଆୟୋଜନ କରିଛନ୍ତି । ମୁଖ୍ୟତଃ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଆଦିବାସୀ ପ୍ରତିଭାବାନ ଯୁବକ ଯୁବତୀ ରହିଛନ୍ତି କିନ୍ତୁ ସେମାନଙ୍କୁ ସେମାନଙ୍କ ପ୍ରତିଭା ବିକଶିତ କରିବା ପାଇଁ କୋଣସି ସୁଯୋଗ ମିଳୁନାହିଁ, ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହିଭଳି ପ୍ରୟାସ କରାଯାଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ଓରମାସର ପ୍ରିୟମ୍ବଦା ବିଶୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଏବଂ ଏପିଡ଼ି ଜ୍ୟୋତିରାଜ ଅଧିକାରୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଡିଡବ୍ଲ୍ୟୁଓ:-ସନ୍ତୋଷ କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରା ଯାଇଥିଲା । ପରେ ପରେ ରାଜ୍ୟସ୍ତରରୁ ଆସିଥିବା ଖେଳାଳି ଚୟନ ମନୋନୟନ-କାରୀ ବାବୁଲ ବୁର୍ଲାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନ’ରେ ଖେଳାଳି ଚୟନ ପ୍ରକ୍ରିୟା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗ୍ରାମାଞ୍ଚଳରୁ ୮୪ ଜଣ ମହିଳା ଖେଳାଳି ଆସି ଯୋଗ ଦେଇଥିଲେ । ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ (ପିଇଟି) ମାନେ ଯଥା:- ପ୍ରିୟଦର୍ଶୀ ମିଶ୍ର, ଧୀରେନ ସାମଲ, ଲିଙ୍ଗରାଜ ସାହୁ, ସନ୍ତୋଷ ପଣ୍ଡା, ସଞ୍ଜୟ ପାତ୍ର, ଅଭିନ୍ନ ବାସୁଦେବ ମିଶ୍ର, ରେଖାରାଣୀ ଦେଓ, ତାପସ୍ୱିନୀ ପଣ୍ଡା, ପ୍ରମୋଦ ପଟ୍ଟନାୟକ ଓ ଅମ୍ବିକା ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି ସମସ୍ତ ମହିଳା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
