ରାୟଗଡ଼ା (ସମୃଦ୍ଧ ଓଡିଶା) କୋଭିଡ ରୋଗୀଙ୍କ ଚିକିତ୍ସା ନିମନ୍ତେ କରୋନାରେ ଆରୋଗ୍ୟ ଲାଭ କରି ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତିମାନଙ୍କ ପ୍ଲାଜମା ଦ୍ୱାରା କରୋନାରେ ଆକ୍ରାନ୍ତ ରୋଗୀ ଶୀଘ୍ର ଆରୋଗ୍ୟ ହେଉଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ସଂଗ୍ରହକୁ ଉତ୍ସାହିତ କରିବା ସକାଶେ ଜିଲ୍ଲାୱରୀ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ଥିବା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରାୟଗଡ଼ା ଗସ୍ତ କରି ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୂଆଲା, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲାଜମା ବ୍ୟାଙ୍କ ନୋଡ଼ାଲ ଅଫିସର ଶରତଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମୀୟ ଉନ୍ନୟନ ସଂସ୍ଥା ଅମୃତ ରୁତୁରାଜ ଯୋଗଦେଇ ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ପ୍ଲାଜମା ସଂଗ୍ରହ ସମ୍ଵନ୍ଧରେ ସମ୍ୟକ ଭାବେ ଉପସ୍ଥାପନା କରି ଆଗକୁ ଜିଲ୍ଲାରୁ ସୁସ୍ଥ ରୋଗୀମାନଙ୍କ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ନିସ୍ପତିକ୍ରମେ ଜିଲ୍ଲାରେ ପ୍ଲାଜମା ସଂଗ୍ରହ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଜିଲ୍ଲା ପାଇଁ ନୋଡ଼ାଲ ଅଧିକାରୀ ଭାବରେ ନିଯୁକ୍ତି ଦେଇଛନ୍ତି । ପ୍ଲାଜମା ଦାନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ବିଶେଷ ଓ ଏନେଇ ଅନ୍ୟ କୌଣସି ସୂଚନା ପାଇବା ପାଇଁ ଶ୍ରୀ ପଣ୍ଡାଙ୍କୁ ପ୍ରତେକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ମନ୍ତ୍ରୀ ଶ୍ରୀମତି ଦିଆନ ସଭାରେ ମତବ୍ୟକ୍ତ କରି କହିଥିଲେ ଯେ ପ୍ଲାଜମା ଦାନ କରିବା ଦ୍ବାରା ଅନ୍ୟ ବ୍ୟକ୍ତିର ଜୀଵନ ବଞ୍ଚି ପାରୁଥିବାରୁ ଆମେ ସମସ୍ତେ ଚେଷ୍ଟା କରିବା । କରୋନା ଆକ୍ରାନ୍ତ ସୁସ୍ଥ ଫେରୁଥିବା ରୋଗିନଙ୍କୁ ପ୍ଲାଜମା ଦାନ କରିବାକୁ ବୁଝାଇବା । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାର ନିଜ ନିଜ ଅଞ୍ଚଳରେ ପ୍ରସ୍ତୁତ ରହି ଆରୋଗ୍ୟଲାଭ ଜରିଥିବା ରୋଗୀ ମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ବୁଝାଇବାକୁ ଅନୁରୋଧ କରିଥିଲେ । ଶ୍ରୀମତୀ ଦିଆନ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କୋରନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାପରେ ପିଡ଼ି, ଡିଆରଡିଏ ଅମୃତ ଋତୁରାଜ ଜିଲ୍ଲାର କରୋନା ସ୍ଥିତି । ଓ ଏହାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଵିଶେଷ କରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜେକେପୁର, ଗୁଣୁପୁର, ବିଷମକଟକ ଓ ତାଡ଼ମା ଠାରେ ହୋଇଥିବା ଵ୍ୟଵସ୍ଥା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ତହସିଲଦାର ଉମାଶଙ୍କର ବେହେରା, ପିଏ ଆଟିଡିଏ ଟୁକୁ ବାରିକ, ପୌରପରିଷଦ ନିର୍ବାହୀ ଅଧିକାରୀ ସଚିତାନନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ