ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କରୋନା ମହାମାରି ସମୟରେ ଗଣମାଧ୍ୟମ ଏକ ନୂତନ ଆହ୍ବାନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି, ଗତ ଦେଢ ବର୍ଷ ଧରି କରୋନା ମହାମାରୀ ଯେଉଁଭଳି ଭାବେ ସଂକ୍ରମଣ ବ୍ୟାପିବାର ରୂପ ନେଇଥିଲା ସେ କ୍ଷେତ୍ରରେ ଗଣମାଧ୍ୟମ ହିଁ ପ୍ରଶାସନକୁ ସହଯୋଗ କରି ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତେଣୁ ସବୁବେଳେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜର ସାମୁହିକ ଉନ୍ନତିରେ ସହାୟକ ହେବା ପାଇଁ ଆହ୍ବାନ କରିଥିଲେ । ଏହି ଅବସର’ରେ ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ, ଦ୍ଵିଜେନ୍ଦ୍ର ନାଥ ପାଢ଼ୀ, ଭାଗବତ ପାଢ଼ୀ ଓ ଆଦର୍ଶ ଦାସ ପ୍ରମୁଖ କରୋନା ମହାମାରୀ ସମୟ’ରେ କିଭଳି ତାହା ସେମାନଙ୍କ ପାଇଁ ଏକ ଆହ୍ବାନ ସଦୃଶ୍ୟ ଥିଲା, ସେହି ଅନୁଭୂତି ଓ ଅଭିଜ୍ଞତାକୁ ଅବଗତ କରାଇଥିଲେ । ଏହି ଅବସରରେ କରୋନା ସମୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ୩ ଜଣ ସାମ୍ବାଦିକଙ୍କ ଅକାଳ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିସା, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ଏବଂ ଡ଼ିଏସଓ ପ୍ରଭାକର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ବହୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଯୋଗ ଦେଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା