


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ହିଲପାଟଣା ଠାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଯୁଗ୍ମ ଶ୍ରମ କମିଶନର ବିଶାଳୟ ଶତପଥୀ, ଡ଼ିଭିଜନାଲ ଶ୍ରମ କମିଶନର ଦୀପ୍ତି ରଞ୍ଜନ ମହାନ୍ତି, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାୟରାୟଣ ସାହୁ ବ୍ରହ୍ମପୁର ଶ୍ରମ ଅଧିକାରୀ ବିବିଜି ରାଓ ଏବଂ ଶ୍ରମ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ଓ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଓଡିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଯୋଗ୍ୟ ବିବେଚିତ ୨୯୩୧ ହିତାଧିକାରୀ ଓ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରାଯାଇଥିଲା । ୨୯୩୧ ହିତାଧିକାରୀଙ୍କ ମଧ୍ୟରୁ ୮୦୦ ହିତାଧିକାରୀ ତାଙ୍କ ପିଲାମାନଙ୍କ ଶିକ୍ଷାଗତ ରାଶି ବାବଦରେ ୩୨,୮୦,୦୦୦ ଟଙ୍କା, ୩୧୬ ହିତାଧିକାରୀଙ୍କୁ ମୃତ୍ୟୁ ଜନିତ ସହାୟତା ପାଇଁ ୩,୮୮,୦୦,୦୦୦ ଟଙ୍କା, ୩୧୬ ଜଣ ହିତାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ପାଇଁ ୧୫,୮୦,୦୦୦ ଟଙ୍କା, ୧୩୦୮ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ନିମନ୍ତେ ୩,୬୪,୨୫,୦୦୦ ଟଙ୍କା, ୧୯୧ ଜଣ ହିତାଧିକାରୀଙ୍କୁ ପ୍ରସୁତିକାଳୀନ ସହାୟତା ବାବଦରେ ୧୮,୯୬,୦୦୦ ଟଙ୍କା ମୁଖ୍ୟ ଅତିଥି ଦ୍ୱାରା ବଣ୍ଟନ କରାଯାଇଛି । ଏହାସହ ପ୍ରାୟ ୮୦୦ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚିତ ପତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା







