ଛତ୍ରପୁର (ସମୃଦ୍ଧ ଓଡିଶା) ମ୍ୟାଲେରିଆ ପ୍ରତିରୋଧକ ଅଭିଯାନ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ସମସ୍ତଙ୍କ ସ୍ୱାଗତ କରିଥିଲେ । ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି । ଗତବର୍ଷ ଜିଲ୍ଲାରେ ୯୧୩୯ ଜଣ ବ୍ୟକ୍ତି ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସୋରଡ଼ା ବ୍ଲକର ଗାଜଲବାଡ଼ି ଅଞ୍ଚଳର ଜଣକର ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ୧୨୮୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ଯେପରି ମ୍ୟାଲେରିଆରେ କେହି ମୃତ୍ୟୁବରଣ ନ କରନ୍ତି ସେଥିପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ସତର୍କ କରାଇଛନ୍ତି । ମଶା ବଂଶକୁ ନିୟନ୍ତ୍ରଣ କରିବା ପାଇଁ ପରିବେଶକୁ ପରିସ୍କାର ପରିଚ୍ଛନ୍ନ ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ୱ ଦେଇଛନ୍ତି । ଘର ଚାରିପାଖରେ ପାଣି ଯେପରି ଜମି ନ ରହେ ସେଥିପ୍ରତି ସଜାଗ ହେବା ସହ ଘର ଚାରିପଟେ ଅନାବନା ଘାସାବୁଦା ଆଦି ସଫା କରିବା ଉଚିତ । ବିଦ୍ୟାଳୟ ମାନଙ୍କରେ ପ୍ରାର୍ଥନା କରିବା ପରେ ପରେ ଛାତ୍ରଛାତ୍ରୀମାନଙ୍କୁ ମ୍ୟାଲେରିଆ ଉପରେ ସଚେତନ କରାଇବା ସହ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମଧ୍ୟ ପିଲାମାନଙ୍କୁ ସଚେତନ କରାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ତୁମ୍ବା, ପାତ୍ରପୁର ଆଦି ପାହାଡିଆ ଅଞ୍ଚଳରେ ପ୍ରତି ପରିବାର ପିଛା ଗୋଟିଏ ଲେଖାଏଁ ମଶା ନାଶକ ଔଷଧରେ ବୁଡ଼ାଯାଇଥିବା ମଶାରୀ ବଣ୍ଟନ କରାଯିବା ସହ ମ୍ୟାଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏକ ସୂଚନା ପତ୍ର ଯୋଗାଇ ଦିଆଯିବ ଏବେ ସେଥିରେ ମ୍ୟାଲେରିଆ ଚିକିତ୍ସାର ସମସ୍ତ ବିବରଣୀ ଉଲ୍ଲେଖ ରହିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର. ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପି. କୁର୍ମେୟା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ରେଡ୍ଡୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା