ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡିର ଜିଲ୍ଲା ପରିଷଦ ସଭାଗୃହରେ ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅନିତା ରାଣୀ ବେହେରାଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧାଦେବ ସିଂଙ୍କର ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ସମିତିର ଆବାହକ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଗତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସବିଶେଷ ଆଲୋଚନା କରିବା ସହ ଗତ ଏକ ବର୍ଷର ଶିଶୁ ସୁରକ୍ଷା ଉପରେ ଥିବା ବିଭିନ୍ନ ବୈଧାନିକ ଅନୁଷ୍ଠାନ ଏବଂ ସେବା ବିତରଣ ସଂସ୍ଥା ମାନଙ୍କର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଗତ ଏକ ବର୍ଷ ମଧ୍ୟରେ ଶିଶୁ ସୁରକ୍ଷାର ବିଭିନ୍ନ ସମସ୍ୟା ଗୁଡିକୁ କିପରି ସମାଧାନ କରାଯାଇଛି ଏବଂ ତାହାର ସଂଖ୍ୟା ଉପରେ ଆଲୋଚନା କରିଥିଲେ । ତାପରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଅଧିକାରୀ ପ୍ରତ୍ୟୁଷ ସୂର୍ଯ୍ୟ ଗତ ବର୍ଷରେ ପୋଷ୍ୟ ସନ୍ତାନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଫଳତା ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ । ଚାଇଲଡ ଲାଇନର ସଂଯୋଜକ ବିଜୟ କୁମାର ପ୍ରଧାନ ଗତ ବର୍ଷ ଚାଇଲଡ ଲାଇନ କେତେ ଗ୍ରହଣ କରିଛି ଏବଂ ତା ପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିବା ସହ ଚାଇଲଡ଼ ଲାଇନ ର କାର୍ଯ୍ୟକୁ ସମସ୍ତ ଉପସ୍ଥିତ ସଭ୍ୟଙ୍କୁ ଅବଗତ କରାଇଥିଲେ । ଏହି ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦର ଅଧ୍ୟକ୍ଷା ଜିଲ୍ଲାରେ ବଢୁଥିବା ଶିଶୁ ଶ୍ରମିକ ଉପରେ ଗୁରୁତ୍ୱ ଦେବା ସହ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ମାନଙ୍କ ଏବଂ ତାଙ୍କ ପରିବାର ସହ ଯୋଗାଯୋଗ ରଖି ୧୮ ବର୍ଷ ପରେ କିପରି ଥଇଥାନ କରାଯିବ ତା ଉପରେ ଗୁରୁତ୍ୱ ଦେଇଥିଲେ । ମୋହନା ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶ୍ରୀ ଶୁକ ଶବର ଯୋଗଦେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ବାରମ୍ବାର ଛାତ୍ରୀ ଅନ୍ତଃସ୍ଵତା ହେବା ଉପରେ ଦୁଃଖ ପ୍ରକାଶ କରିବା ସହ ଶିଶୁ ସୁରକ୍ଷା ସେବା ମାଧ୍ୟମରେ ଛାତ୍ରୀମାନେ ରହୁଥିବା ଅନୁଷ୍ଠାନକୁ କିପରି ନିୟମିତ ଯାଞ୍ଚ କରାଯିବ ତା ଉପରେ ଗୁରୁତ୍ୱ ଦେଇଥିଲେ । ରାୟଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ ଯୋଗଦେଇ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା ସମିତିର ନିୟମିତ ବୈଠକ କିପରି କରାଯିବ ଏବଂ ଘଟୁଥିବା ଶିଶୁ ସୁରକ୍ଷା ସମସ୍ୟା ଉପରେ କିପରି ଦୃଷ୍ଟି ଦିଆଯିବ ତା ଉପରେ ଆଲୋକପାତ କରାଇଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତିରେ ସମିତିର ସହ ଅଧ୍ୟକ୍ଷ ଶ୍ରୀମତୀ ସ୍ୱାଧାଦେବ ସିଂ ନିମ୍ନଲିଖିତ କାର୍ଯ୍ୟ ଆଗାମୀ ଦିନରେ ସମ୍ପାଦନା କରିବାକୁ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୧. ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ଥିବା ଜିଲ୍ଲା ସ୍ତରୀୟ ଟାସ୍କଫେନ୍ସ ର ନିୟମିତ ବୈଠକ ।
୨. ମାନବ ଚାଲାଣ ରୋକିବାକୁ ଥିବା ଜିଲ୍ଲା ସ୍ତରୀୟ ୟୁନିଟର ନିୟମିତ ବୈଠକ ।
୩. ଆଶ୍ରମ ବିଦ୍ୟାଳୟରେ ଥିବା ଏଏନଏମ, ମେଟ୍ରୋନ ଏବଂ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଛାତ୍ରୀ ମାନଙ୍କର ସୁରକ୍ଷା ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ।
୪. ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ନିୟମିତ ବୈଠକ ।
୫. ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ମାନଙ୍କର ଥଇଥାନ ପାଇଁ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତି ।
ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗୋ, ନୂଆଗଡ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୁଡୁବାଇ ମଣ୍ଡଳ, ଗୋଶାଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସିଏଚ. ତାରକେଶ୍ୱରୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କେ. ରାଜୁ, ଶିଶୁ ମଙ୍ଗଳ ସମିତିର ସଭ୍ୟ ହିରଣ୍ୟ ରାୟ, ଅଳକା ସାହୁ, ଡିଏସପି ଅନିଲ ପ୍ରଧାନ, ଚାଇଲଡ ଲାଇନ ର ଏକ୍ସ ଡ଼ାଇରେକ୍ଟର ପ୍ରସୁ ପ୍ରସାଦ ପାତ୍ର, ଜୁଭେନିଲ ଜଷ୍ଟିସ ବୋର୍ଡର ସଭ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।