ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସମସ୍ତ କାରାଗାରର କର୍ମଚାରୀ ଓ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଛତ୍ରପୁର ଉପକାରାଗାରରେ ଅନ୍ତେବାସୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କ ନେତୃତ୍ୱରେ ଡାକ୍ତର ସୁନୀଲ ରଥ, ଆର୍.ସୂର୍ଯ୍ୟ ରେଡ୍ଡୀ ଓ ବନଲତା ମିଶ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ୍ ସିମାଞ୍ଚଳ ପ୍ରଧାନ, ସୁପରଭାଇଜର ଗୌରହରୀ ପଣ୍ଡା ପ୍ରମୁଖ ଏକ ସ୍ୱାସ୍ଥ୍ୟ ଟିମ୍ ଆଜି ଅପରାହ୍ନରେ ଛତ୍ରପୁର ଉପକାରାଗାରକୁ ଗସ୍ତ କରିଥିଲେ । ଉପକାରାଗାରରେ ଥିବା ୧୩୮ ଜଣ ଅନ୍ତେବାସୀ ଏବଂ ୧୬ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ୧୧ଜଣ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ସନ୍ଦେହ ରହିଥିବା ଜଣାପଡିଛି । ସେମାନଙ୍କୁ ସାମାଜିକ ଦୂରତା ସହ ଅଲଗା ରହିବା ପାଇଁ ସ୍ୱାସ୍ଥ୍ୟ ଟିମ୍ ପରାମର୍ଶ ଦେଇଥିଲେ । ଜେଲ୍ ନିୟମନୁସାରେ ଏହି ଅନ୍ତେବାସୀଙ୍କୁ ଆଣ୍ଟିଜେନ୍ ଟେଷ୍ଟ କରିବା ପାଇଁ ପଠାଯିବ । ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଅନ୍ତେବାସୀଙ୍କୁ ଏଭଳି କୋଭିଡ୍ ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଜେଲ୍ କର୍ତ୍ତୃପକ୍ଷ ମଧ୍ୟ କଡାକଡି ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ଟିମ୍ ଜେଲ୍ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳଙ୍କୁ ଅବଗତ କରାଇଥିଲେ । ଏଥିସହ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଶ୍ରୀ ପାତ୍ର କରୋନା ମୁକାବିଲା ପାଇଁ ଅନ୍ତେବାସୀଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପାଣିଗ୍ରାହୀ ନିଜସ୍ୱ ପକ୍ଷରୁ ଅନ୍ତେବାସୀଙ୍କ ନିମନ୍ତେ ୧୦୦ଟି ମାସ୍କ୍ ଜେଲ୍ ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ । ସୂଚାନୁସାରେ, ବ୍ରହ୍ମପୁର ମଣ୍ଡଳ କାରାଗାରାରେ ପଜିଟିଭ୍ ଚିହ୍ନଟ ପରେ ଗତ ୨୩ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନେତୃତ୍ୱରେ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଛତ୍ରପୁର ଉପକାରାଗାର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା