ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାର ପାରମ୍ପରିକ ଲୋକଗୀତ, ଲୋକ ସଂଗୀତ ଓ ଲୋକକଳାକୁ ନେଇ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନେ ନିସ୍ଵାର୍ଥପର ଭାବେ କଳା ପରିବେଷଣ କରି ସମସ୍ତଙ୍କ ମନମୋହିବା ସହିତ ବିଭିନ୍ନ ଯୋଜନାର ପ୍ରଚାର କରି ଲୋକଙ୍କୁ ସଚେତନ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହ ନିଜେ ଜଣେ କଳାକାର ମନୋବୃତ୍ତି ନେଇ ରଜ ସମୟର ଲୋକପ୍ରିୟ ଗୀତ ବନସ୍ତେ ଡାକିଲା ଗଜ ଗୀତ ଗାଇ ସମସ୍ତଙ୍କର ମନମୋହିଥିଲେ । ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଗଞ୍ଜାମଜିଲ୍ଲା ଲୋକକଳାର ଏନ୍ତୁଡ଼ିଶାଳ ବୋଲି କହିଥିଲେ ଏବଂ ସଂପ୍ରତି ଟିଭି, ସିନେମା ଓ ମୋବାଇଲ ଯୋଗୁଁ ଲୋକକଳା ଲୋକଙ୍କ ଠାରୁ ଦୁରେଇ ଯାଉଛନ୍ତି । ସେହି ଲୋକକଳାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏବଂ ପହଞ୍ଚାଇବା ପାଇଁ ଏହିଭଳି ଉତ୍ସବର ଆୟୋଜନ କରାଯାଉଥିବା ସେ କହିଛନ୍ତି । ଜିଲ୍ଲାର ସମସ୍ତ କଳା ସଂଗୀତ ନୃତ୍ୟକୁ ଜୀବନ୍ତ କରିବା ପାଇଁ ଏଭଳି ଆମେ କାର୍ଯ୍ୟ କରି ଚାଲିବା ବୋଲି କହିଛନ୍ତି । ସମ୍ମାନିତ ଅତିଥି ଭାବେ ଡିଆରଡିଏ ଏପିଡ଼ି ଦେବବ୍ରତ ସାହୁ ଯୋଗଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲା ଲୋକକଳା ମାଟି । ଏଠାରେ କଳାକାରମାନେ ଲୋକକଳାକୁ ବଞ୍ଚାଇ ଆସୁଛନ୍ତି । କଳାକାରମାନେ ଲୋକଙ୍କୁ ସଚେତନ କରାଇବା ସହ ଆନନ୍ଦ ଦେଉଛନ୍ତି । ଆଗକୁ ଯୋଗ୍ୟ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ତା ସହିତ ଆସିକା ସାଂସଦ ମଧ୍ୟ ଜଣେ ଲୋକକଳାର କଳାକାର ବୋଲି କହିଛନ୍ତି । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ଲୋପ ପାଉଥିବା ଲୋକକଳାକୁ ଆଗକୁ ଆଣିବାକୁ ସରକାରଙ୍କ ପକ୍ଷରୁ ଏହି ଉତ୍ସବ ମାଧ୍ୟମରେ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି । ପୋଡାପଦର ସରପଂଚ ପିତାମ୍ବର ପଣ୍ଡା କଳାକାରମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ କୁହାଯାଇଛି । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଅଜିତ କୁମାର ସେଠି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥିବା ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପ୍ରଧାନ, କୋହଲା ଗୁରୁ ଏମ. ସୀମାଦ୍ରୀ ଓ ଯୋଡି ଶଙ୍ଖ ଗୁରୁ ବସନ୍ତ କୁମାର ରାଉତଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶେଷରେ ଦଉଡ଼ା ପିଡି ସବ୍ୟସାଚୀ ହୋତା ଧନ୍ୟବାଦ ଅର୍ପଣ କରିଛନ୍ତି । ସକାଳ ୯ ସମୟରେ ଲୋକକଳା କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏହି ଶୋଭାଯାତ୍ରାକୁ ଏପିଡ଼ି ଦେବବ୍ରତ ସାହୁ ଓ ଡୁଡା ପିଡି ସବ୍ୟସାଚି ହୋତା ପତାକା ଦେଖାଇ ଉଦଘାଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା