ଜେଟଲୀ ବତାନ୍ତୁ ମାଲ୍ୟା ନିଜେ ଗଲେ ନା ଉପରୁ ଅର୍ଡର ମିଳିଲା: ରାହୁଲ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ମୂଲ୍ୟ ବୃଦ୍ଧି ଓ ରାଫେଲ ଡ଼ିଲ ପ୍ରସଙ୍ଗ ଉପରେ ମୋଦି ସରକାରଙ୍କ ଉପରେ ପ୍ରଥମରୁ ଆକ୍ରମଣ ଚଳାଇଥିବା ବିପକ୍ଷଙ୍କ ହାତରେ ଆଉ ଏକ ପ୍ରସଙ୍ଗ ଲାଗିଛି |ବୁଧବାର ମଦ ବେପାରୀ ବିଜୟ ମାଲ୍ୟା କହିଥିଲେ ଭାରତ ଛାଡିବା ପୂର୍ବରୁ ସେ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଥିଲେ | ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ଉପରେ ଗୁରୁବାର ପ୍ରେସ କନଫେରେନ୍ସ କରିଥିଲେ | ଏହା ପୂର୍ବରୁ ରାହୁଲ ଟ୍ୱିଟ କରି ଅରୁଣ ଜେଟଲୀଙ୍କ ଇସ୍ତଫା ଦାବି କରିଥିଲେ |ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଲେ, ବିଜୟ ମାଲ୍ୟ ସଂସଦରେ ତାଙ୍କୁ ଅନୌପଚାରିକ ଭାବେ ସାକ୍ଷାତ କରିଥିଲେ ବୋଲି ଅରୁଣ ଜେଟଲୀ କହିଛନ୍ତି | ସେ ଲମ୍ବା ବ୍ଲଗ ଲେଖନ୍ତି କିନ୍ତୁ ଏ ସମ୍ପର୍କରେ କିଛି ଲେଖନ୍ତି ନାହିଁ | ଅରୁଣ ଜେଟଲୀ ସାକ୍ଷାତ ସମ୍ପର୍କରେ ମିଛ କହୁଛନ୍ତି | ରାହୁଲ କହିଛନ୍ତି ଆମ ପାଖରେ ଏହାର ପ୍ରମାଣ ଅଛି |ଅରୁଣ ଜେଟଲୀ-ମାଲ୍ୟାଙ୍କ ଭେଟ ସମ୍ପର୍କରେ ସାଂସଦ ପି.ଏଲ ପୁନିଆ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ | ପୁନିଆ କହିଥିଲେ , ବଜେଟ ପୂର୍ବ ଦିନ ମାର୍ଚ୍ଚ 1 ରେ ଅରୁଣ ଜେଟଲୀ ଓ ବିଜୟ ମାଲ୍ୟା କଥା ହେଉଥିଲେ | ପ୍ରଥମେ ଛିଡା ହୋଇ କଥା ହେଉଥିଲେ ପରେ ଉଭୟ ସେଣ୍ଟ୍ରାଲ ହଲରେ ବସି କଥା ହେଲେ | ଏହାର ଦୁଇ ଦିନ ପରେ ମାଲ୍ୟା ପଳାୟନ କରିଥିବା ପଢି ଆଶ୍ଚର୍ଯ୍ୟ ହୋଇଗଲି | ତେଣୁ ଆମେ ଚାହୁଁଛୁ ଯେ ସଂସଦର ସିସିଟିଭି ଯାଞ୍ଚ ହେବା ଦରକାର | ଏହା ଦ୍ୱାରା ସମସ୍ତ ସତ୍ୟତା ସାମ୍ନାକୁ ଆସିବ |ଅପରପକ୍ଷରେ ଅରୁଣ ଜେଟଲୀ ଫେସବୁକରେ ସଫେଇ ଦେଇ କହିଛନ୍ତି, ମାଲ୍ୟାଙ୍କ ଦାବି ଭିତ୍ତିହୀନ ଓ ଭୁଲ ଅଟେ | ମୁଁ 2014ରୁ ଆଜି ଯାଏଁ ତାଙ୍କୁ ମିଶିବାକୁ ସମୟ ଦେଇ ନାହିଁ | ସେ ରାଜ୍ୟସଭା ସଦସ୍ୟ ଥିଲେ ଓ କେବେ କେବେ ସଦନକୁ ଆସୁଥିଲେ | ମୁଁ ସଦାନରୁ ବାହାରି ମୋ ପ୍ରକୋଷ୍ଠକୁ ଯାଉଥିଲି ଏହି ସମୟରେ ସେ ସାଥିରେ ଆସିଲେ | ସେ ବୁଝାମଣା କଥା କହିବାରୁ ମୁଁ ତାଙ୍କୁ କହିଥିଲି ଯେ ଏ ବିଷୟରେ ମୋ ସହ କଥା ହେଲେ କିଛି ଫାଇଦା ନାହିଁ ଏହି ପ୍ରସ୍ତାବ ବ୍ୟାଙ୍କ ସହିତ କରନ୍ତୁ |