ଜ୍ଞାନ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଳେଶ୍ୱର (ସମୃଦ୍ଧ ଓଡିଶା) ନନ୍ଦିକା ସ୍ଥିତ ଜ୍ଞାନ ବିକାଶ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ବିକାଶ ଇଂରାଜୀ ମିଡିୟମ ସ୍କୁଲର ସଂପାଦକ ତଥା ଜ୍ଞାନ ବିକାଶ ଶିଳ୍ପତାଲିମ କେନ୍ଦ୍ରର ସହ ସଂପାଦକ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ନିତ୍ୟାନନ୍ଦ ସାହୁ ଯୋଗଦେଇ କହିଥିଲେ ଯେ ଭାରତୀୟ ସମାଜରେ ଗୁରୁ ହେଉଛନ୍ତି ଶ୍ରେଷ୍ଠ । ଆମେ ପାଶ୍ଚାତ୍ୟ ସଭ୍ୟତା ଆଡକୁ ଯାଇ ଇଂରାଜୀ ଭାଷାର ଆବଶ୍ୟକତା ଯୋଗୁଁ ଇଂରାଜୀକୁ ଆମେ ଆପଣେଇ ନେଇଛୁ ବୋଲି କହିଥିଲେ । ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ସୁସ୍ଥ ପରିବେଶ ଓ ସେମାନଙ୍କ ମାନସିକ ବୃଦ୍ଧିପାଇଁ ସୁଯୋଗ ଦେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଜଳେଶ୍ୱରର ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ ଯୋଗ ଦେଇ ଓଡିଆ ସଂସ୍କୃତିକୁ ସମସ୍ତେ ଭୁଲି ଯାଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଶିକ୍ଷକ ଓ ଅଭିଭାବକ ମାନେ ପିଲାମାନଙ୍କର ପାଠପଢା ପାଇଁ ଯତ୍ନବାନ ହେବା ସଙ୍ଗେ ସଙ୍ଗେ ପିଲା ମାନଙ୍କୁ ହୋମ୍ ୱାର୍କ ନ ଦେଇ ସେହି ପାଠକୁ ସ୍କୁଲରେ ପଢାଇବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବର ସଭାପତି ନନ୍ଦନ କୁମାର ଦତ ଓ ଡାଃ ପଦ୍ମନାଭ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ପାଇଁ ଅଭିଭାବକ ମାନେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଅନୁଷ୍ଠାନର ମୁଖ୍ୟ ଲେଲିନ କୁମାର ପ୍ରଧାନ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସପନ କୁମାର ଜେନା, ତପନ କୁମାର ଜେନା ଓ ହୁଲେନ୍ଦ୍ର ନାଥ ଭଂଜ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା