ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାଗ୍ୟ ପରିବର୍ତ୍ତନ ଓ ଗ୍ରହଶାନ୍ତିର ପ୍ରଲୋଭନ ଦେଖାଇ ଜ୍ୟୋତିଷ ଜଣେ ବ୍ୟବସାୟୀଙ୍କୁ ଚୁନ ଲଗାଇ ସର୍ବସ୍ୱ ଲୁଟି ନେଇ ବ୍ୟବସାୟୀରୁ ବାବା ବନାଇ ରାସ୍ତାରେ ବୁଲାଇଦେଲା । ଏଭଳି ଏକ ଘଟଣା ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଜ୍ୟୋତିଷ ରବିଟକିଜ ଛକ ଟଙ୍କପାଣିରୋଡରେ ରହୁଥିବା କଟକ ନରସିଂହପୁର ଅଞ୍ଚଳର ବିଶ୍ୱଜ୍ୟୋତି ଅରବିନ୍ଦ ମହାନ୍ତି (୪୭)ଙ୍କୁ ଗିରଫ କରିଛି। ପୁଲିସ ତା’ ବିରୋଧରେ କେସ୍ ନଂ ୧୧୦/୧୯ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ, ଚାକିରୀ ଅନ୍ୱେଷଣରେ ଆସିଥିବା ଅରବିନ୍ଦ ମହାନ୍ତି ଭୁବନେଶ୍ୱରରେ ପହଞ୍ଚି ଜ୍ୟୋତିଷ ଜ୍ଞାନ ଆହରଣ କରିଥିଲେ । ପରେ ସେ ବିଶ୍ୱଜ୍ୟୋତି ଅରବିନ୍ଦ ମହାନ୍ତି ଭାବେ ପରିିଚିତ ହୋଇ ଜ୍ୟୋତିଷ କାମ କରିଥିଲେ । ଇତି ମଧ୍ୟରେ ତାଙ୍କର ଶହୀଦନଗର ୧୦୯ (ପି)ରେ ରହୁଥିବା ବ୍ୟବସାୟୀ ଗିରିଧାରୀଲାଲ ଅଗ୍ରୱାଲଙ୍କ ପତ୍ନୀଙ୍କ ସହ ଭେଟ ହୋଇଥିଲା । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର କରିବା ସହ ଭାଗ୍ୟ ପରିବର୍ତ୍ତନ ଲାଗି ତାଙ୍କୁ ପ୍ରଲୋଭନ ଦେଖାଇଥିଲା । ସେହି ସମୟରେ ଗିରିଧାରି ଲାଲଙ୍କ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଗିରିଧାରୀଲାଲ ଘର ଛାଡି ଲକ୍ଷ୍ମୀସାଗର ଶାରଳାନଗରରେ ରହୁଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ବିବାଦରୁ ସେ ଫାଇଦା ନେବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲା । କୌଶଳକ୍ରମେ ସେ ଗିରିଧାରୀଲାଲ ଓ ତାଙ୍କ ପତ୍ନୀଙ୍କ ପାଖରେ ବିଶ୍ୱାସ ଜନ୍ମାଇଥିଲା । ପରେ ସେ ଜଣେ ଦକ୍ଷ ଜ୍ୟୋତିଷ ସହ ବଡ ବ୍ୟବସାୟୀ ବୋଲି କହି ତାଙ୍କ ଭାଗ୍ୟ ପରିବର୍ତ୍ତନ ଲାଗି ପରାମର୍ଶ ଦେଇଥିଲେ । ତାଙ୍କ ଉପରେ ଭରସା କରି ଗିରିଧାରିଲାଲ ପାତ୍ରପଡାରେ ଥିବା ତାଙ୍କର ଏକ ଜମି ବିକ୍ରି କରି ବ୍ୟବସାୟରେ ବିନିଯୋଗ କରି ଅଧିକ ଲାଭ ପାଇବା ଆଶାରେ ୧୯ଲକ୍ଷ ୪୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ । କିଛିମାସ ପାଇଁ ସେ ତାଙ୍କୁ ସୁଧ ଟଙ୍କା ମଧ୍ୟ ଦେଇଥିଲେ । ପରେ ସେ ଆଉ ଧରାଛୁଆଁ ଦେଇନଥିଲେ । ଏପରିକି ସେ ତାଙ୍କ ପତ୍ନୀଙ୍କ ସହ ଗିରିଧାରିଙ୍କୁ ଧମକଚମକ ଦେଇଥିଲେ । ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ଓ ନିର୍ଯାତନାରେ ଅତିଷ୍ଠ ହେବା ପରେ ଗିରିଧାରୀଲାଲ ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ତା’ ନିକଟରୁ ଗିରିଧାରିଲାଲଙ୍କ କାର, ବୁଲେଟ ଓ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଜବତ ହୋଇଛି । ପୁଲିସ ଏଳି ୪୨୦ ଜ୍ୟୋତିଷକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରିପୋର୍ଟ : ଆକାଶ ମିଶ୍ର