ଝରଣା ଘାଟିରେ ପାହାଡ଼ ଧସୁଛି:୫ ଘଣ୍ଟା ଧରି ଯାନବାହାନ ଚଳା ଚଳରେ ବ୍ୟାଘାତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ନୁଆଗଡ଼ ବ୍ଲକ ଅନ୍ତର୍ଗତ କେରଡାଙ୍ଗ ଗ୍ରାମ ଠାରୁ ନୁଆଗଡ଼ ଯିବା ରାସ୍ତା ମଧ୍ୟରେ ଥିବା ଝରଣା ଘାଟିରେ ପାହାଡ଼ ଧସି ରାସ୍ତାରେ ପଡୁଛି । ଫଳରେ ଗତକାଲି ସେହି ଘାଟି ରାସ୍ତାରେ ୫ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଯାତ୍ରୀମାନେ ଅକଥନୀୟ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଗତ କିଛି ଦିନର ଲଗାଣ ବର୍ଷା ହେବା ଫଳରେ ପାହାଡର ମାଟି ସବୁ ବର୍ଷା ପାଣିରେ ବତୁରି ଯାଇ ବିଭିନ୍ନ ସମୟରେ ଧସି ମାଟି ପଥର ସବୁ ଘାଟି ରାସ୍ତା ଉପରେ ପଡୁଥିବା ଦେଖାଯାଇଛି । ଏହି ଘାଟି ରାସ୍ତା ଦେଇ କେର୍ଡାଙ୍ଗ, ମାଣିକପୁର, ଭାଲିଆ ସାହି ରଙ୍ଗମୁଣ୍ଡା, କମଳାପୁର ଓ ପାଳପୁର ପ୍ରଭୃତି ଗ୍ରାମକୁ ସମସ୍ତ ଗାଡି ମୋଟର ଚଳାଚଳ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଥିଲା । ଏହି ସମସ୍ତ ଗ୍ରାମର ଲୋକେ ନୁଆଗଡ଼ ବ୍ଲକ ସଦର ମହକୁମା ଆସିବାକୁ ହେଲେ ଏହି ଘାଟି ରାସ୍ତା ଦେଇ ହିଁ ଆସିବାକୁ ହୋଇଥାଏ । ଅଞ୍ଚଳବାସୀ, ଘାଟି ରାସ୍ତାରେ ପାହାଡ଼ ଧସି ମାଟି-ପଥର ପଡିଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡି ମୋଟର ଚଳାଚଳ କରିବା ଭଳି ରାସ୍ତାରୁ ମାଟି ପଥର ସବୁ ସଫା କରିଥିଲେ । ବର୍ଷା ଦିନରେ ଏହି ଘାଟି ରାସ୍ତା ଦେଇ ଯିବା ପାଇଁ ସଙ୍କଟମୟ ପରିସ୍ଥିତି ଦେଖା ଦେଇଥିବା ଯୋଗୁଁ ପ୍ରଶାସନିକ ସ୍ତରରେ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା