
ଗଜପତି (ସମୃଦ୍ଧ ଓଡିଶା) ଗତ ୧୭ ତାରିଖ ଦିନ ମଧ୍ୟାହ୍ନ ସମୟରେ ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରାଘାଟି ରାସ୍ତାରେ ହୋଇଥିବା ଟଙ୍କା ଲୁଟ ଘଟଣାରେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଟଙ୍କା, ମୋବାଇଲ ଓ ଅନ୍ୟାନ୍ୟ ସବୁ ଜବତ କରିଛି ବୋଲି ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ସାରା ଶର୍ମା ସୂଚନା ଦେଇଛନ୍ତି । ଏହି ଟଙ୍କା ଲୁଟ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ଏସପି ସାରା ଶର୍ମା କହିଥିଲେ ଯେ, ଭାରତ ଫାଇନାନସିଆଲ ଇନକ୍ଲୁଜନ ଲିମିଟେଡ଼ର ଜଣେ ଅଧିକାରୀ ସୂର୍ଯ୍ୟକାନ୍ତ ସେନାପତି, କଲେକ୍ସନ ଟଙ୍କା ଧରି ନୁଆଗଡ଼ରୁ ପାରଳାଖେମୁଣ୍ଡି ଫେରୁଥିବା ବେଳେ ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରା ଘାଟି ରାସ୍ତାରେ ୩ ଜଣ ମୁଁହରେ କନା ଗୁଡାଇ ହାତରେ ବଡ଼ ଠେଙ୍ଗା(ବାଡି) ଧରି ତାଙ୍କୁ ଅଟକାଇ ସେ ଧରିଥିବା ସମସ୍ତ କଲେକ୍ସନ ଟଙ୍କା ମୋଟ ୧ ଲକ୍ଷ ୯୩ ହଜାର ୯୦୯ ଟଙ୍କା ଲୁଟ କରି ନେଇ ପାହାଡ଼ ଉପରକୁ ପଳାଇଥିଲେ । ଏ ସମ୍ପର୍କରେ ଶ୍ରୀ ସେନାପତି ସେହି ଦିନ ସନ୍ଧ୍ୟା ୬.୩୦’ରେ ସେରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ସେରଙ୍ଗ ଥାନା ପକ୍ଷରୁ ଲିଖିତ ଅଭିଯୋଗକୁ ଆଧାର କରି୧ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିଲେ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଲା ଯେ, ଟଙ୍କା ଲୁଟ ଘଟଣାରେ କେବଳ ୩ ଜଣ ହିଁ ସମ୍ପୃକ୍ତ ଅଛନ୍ତି ଏବଂ ମୁଖ୍ୟତଃ ଏହି ଟଙ୍କା ଲୁଟ ଘଟଣାଟି ସେନାପତିଙ୍କ ଉପରେ ପୂର୍ବ ଏକ ଘଟଣାର ରାଗ ଶୁଝାଇବା ପାଇଁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା କହିଥିଲେ । ଯାହାକି, ପୁର୍ବରୁ ଘଟଣାରେ ସମ୍ପୃକ୍ତ ଥିବା ସିଦ୍ଧାନ୍ତ ମିଶାଲର ମା’କୁ ଆବେଦନ ସତ୍ତ୍ୱେ ସେନାପତି ଯୋଗୁ ହିଁ ଋଣ ଟଙ୍କା ସେହି ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ଼ରୁ ମିଳି ନଥିଲା ବୋଲି ସନ୍ଦେହ କରି ଏବଂ ରାଗ ରଖି ଏଭଳି ଘଟଣା କରିଥିବା ଗିରଫ ୩ ଜଣକ କହିଥିବା ଏସପି ସାରା ଶର୍ମା କହିଥିଲେ । ଗିରଫ ୩ ଜଣ ନୁଆଗଡ଼ ସ୍ଥାନୀୟ ଅଞ୍ଚଳର ସିଦ୍ଧାନ୍ତ କୁମାର ମିଶାଲ(୧୯) ଏବଂ ଅନ୍ୟ ୨ ଜଣ ୧୫ ଏବଂ ୧୭ ବର୍ଷ ବୟସର । ସେମାନେ ଲୁଟ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ କିନ୍ତୁ କାହାକୁ କିଛି କହି ନ ଥିଲେ । ସମସ୍ତ ଲୁଟ ଟଙ୍କା ସମେତ ଘଟଣାରେ ବ୍ୟବହାର କରିଥିବା ମୋବାଇଲ, ଠେଙ୍ଗା, ଟି-ସାର୍ଟ, ଜୋତା ହଳ, ପାୱାର ବେଙ୍କ ପ୍ରଭୃତି ଜବତ କରିଛନ୍ତି । ଏହି ଘଟଣାରେ ବଡ଼ ଥିବା ସିଦ୍ଧାନ୍ତ ମିଶାଳକୁ କୋର୍ଟ ଚାଲାଣ କରାଯିବ ଏବଂ ଅନ୍ୟ ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଯିବ ବୋଲି ଏସପି ଶର୍ମା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ପ୍ରକାଶ ଚନ୍ଦ୍ର ଜେନା ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଷାନ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା