ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତ ରନ ଜେଆରଡି ଟାଟାଙ୍କ ୧୧୫ ତମ ଜନ୍ମ ବାର୍ଷିକ ଅବସରରେ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଗୋପାଳପୁର ପ୍ରକଳ୍ପ ଅନୁକୁଲ୍ୟରେ ଅନ୍ତଃ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟାଟା ମେଡିକା ଭାମ୍ୟମାଣ ସ୍ୱାସ୍ଥ୍ୟସେବା ପରିଚାଳକ ଅରୁଣ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବତୟା ଜ୍ୟେଷ୍ଠ କ୍ରୀଡ଼ାବିତ ବୃନ୍ଦାବନ ସାହୁ ଯୋଗ ଦେଇ କ୍ରୀଡା କ୍ଷେତ୍ରରେ ନିଜର ଅନୁଭୂତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଟି.ଏସ.ଆର.ଡି.ଏସ ଶାଖା ମୁଖ୍ୟ ରକି ମାର୍ଟିନ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଜେଆରଡି ଟାଟାଙ୍କ ଜୀବନାଦର୍ଶ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ଆଲୋକପାତ କରାଇଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ଧ୍ରୁବ ଚରଣ ପଣ୍ଡା ଏବଂ ଟାଟାଷ୍ଟିଲ ଜେନେରାଲ ମ୍ୟାନେଜର ଦୀପକ ଘୋଷ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲଙ୍ଗଜମ୍ପ, ହାଇଜମ୍ପ ଆଦି ଉଭୟ ବାଳକ ବାଳିକା ନିମନ୍ତେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚାଳନା କରିଥିଲେ ପ୍ରମୋଦ ପାତ୍ର, ସଞ୍ଜୟ ଦାସ, ଈଶ୍ୱର ପରିଡା, ଭୀମାଚରଣ ମୁର୍ମୁ, ଅନୁପ ସିଂ, କାମରାଜୂ ଭୂୟାଁଙ୍କ ସମେତ କ୍ରୀଡା ଶିକ୍ଷକମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା