ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକଶ କରିବା ସହ ପ୍ରଦେଶ କଂଗ୍ରେସ କମିଟିକୁ ଟାର୍ଗେଟ କରି ଆସୁଥିବା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି . ସୋମବାର ବିଜେଡି ପ୍ରଚାର ରାଲିରେ ବିଶ୍ୱଜିତଙ୍କୁ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଛି . ବିଜିପୁରରେ ସୋମବାର ବିଜେଡି ବିଧାନସଭା ପ୍ରାର୍ଥୀ ବିକ୍ରମ ପଣ୍ଡା ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରଚାର କରିଥିଲେ . ଏହି ପ୍ରଚାର ବେଳେ ଗାଡି ଉପରେ ବିକ୍ରମ ପଣ୍ଡା ଏବଂ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ସହ ବିଶ୍ୱଜିତଙ୍କୁ ଦେଖିବାକୁ ମିଳିଥିଲା . ସେ ବେକରେ ବିଜେଡି ଗାମୁଛା ପକାଇଥିଲେ . ଦେଖୁ ଦେଖୁ ବିଶ୍ୱଜିତଙ୍କ ଏହି ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଥିଲା . ତେବେ ଏନେଇ ବିଶ୍ୱଜିତଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ . କିନ୍ତୁ ତାଙ୍କର ଜଣେ ସମର୍ଥକଙ୍କ କହିବା କଥା ହେଲା ବିଜେଡିର ପ୍ରଚାର ରାଲି ବିଜେପୁରରେ ବିଶ୍ୱଜିତଙ୍କ ଘର ସମ୍ମୁଖ ଦେଇ ଯାଉଥିଲା ସେହି ରାଲିରେ କିଛି ବ୍ୟକ୍ତି ଥିଲେ ଯାହାଙ୍କ ସହ ବିଶ୍ୱଜିତଙ୍କ ସମ୍ପର୍କ ଭଲ ରହିଛି . ଏଣୁ ସେମାନେ ବିଶ୍ୱଜିତଙ୍କୁ ଟାଣି ଗାଡି ଉପରକୁ ନେଇଯାଇଥିଲେ . ଅଳ୍ପ ସମୟ ପରେ ବିଶ୍ୱଜିତ ଗାଡ଼ିରୁ ଓହ୍ଲାଇ ଥିଲେ . ସେ କଂଗ୍ରେସ ଛାଡ଼ୁନାହାନ୍ତି କିମ୍ବା ବିଜେଡିରେ ଯୋଗ ଦେବେ ନାହିଁ ବୋଲି ବିଶ୍ୱଜିତଙ୍କ ସମର୍ଥକ ଜଣକ କହିଛନ୍ତି . ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି ବିଶ୍ୱଜିତ ଗତ ୧ପଞ୫ ବର୍ଷ ହେଲା କଂଗ୍ରେସ ରାଜନୀତିରେ ସକ୍ରିୟ ଅଛନ୍ତି . ଚଳିତ ଥର ସେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଥିଲେ . ବାରମ୍ବାର ଦିଲ୍ଲୀ ଦୌଡିବା ସହ ଏଆଇସିସି ଏବଂ ପିସିସି ନେତାଙ୍କ ସହ ଲଗାତର ଯୋଗାଯୋଗରେ ଥିଲେ . କିନ୍ତୁ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା . ଏହାକୁ ନେଇ ବିଶ୍ୱଜିତ ଅସନ୍ତୁଷ୍ଟ ଥିଲେ . ଗତ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ . ପିସିସି ପଦାଧିକାରୀଙ୍କ ବିରୋଧରେ ସ୍ୱର ଉଠାଇ ଟିକଟ ବଣ୍ଟନରେ ପକ୍ଷପାତିତା ହୋଇଛି ବୋଲି ଅଭିଯୋଗ କରିଥିଲେ . ବ୍ରହ୍ମପୁର ଲୋକସଭା ଏବଂ ବିଧାନସଭା ମଣ୍ଡଳୀ ପାଇଁ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ସେ ସମାଲୋଚନା କରିଥିଲେ . ଫଳରେ ପିସିସିର ଆକ୍ରୋଶର ସମ୍ମୁଖ ହୋଇଥିଲେ ବିଶ୍ୱଜିତ . ଏହିଭଳି ପରିସ୍ଥିତିରେ ସୋମବାର ବିଜେଡିର ପ୍ରଚାର ରାଲିରେ ବିଶ୍ୱଜିତର ଯୋଗଦାନକୁ ନେଇ ରାଜନୈତିକ ଦଳରେ ବିଭିନ୍ନ କଥା ଆଲୋଚନା ହେଉଛି
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା