ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଇକୋ ଟୁରିଜିମ୍, ତମ୍ବାଖୁ ବର୍ଜନ, ପ୍ରଦୂଷଣମୁକ୍ତ ପରିବେଶ ଏବଂ ଦୁର୍ନିତୀମୁକ୍ତ ଭାରତ ଗଠନ ଆଦି ବାର୍ତ୍ତା ନେଇ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ସାଇକେଲ ଶୋଭାଯାତ୍ରା ‘ଟୁର ଦି କଳିଙ୍ଗ’ବୁଧବାର ଦିନ ଗଜପତି ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ଗୁରୁବାର ଏଠାରୁ ବିଦାୟ ନେଇଛି । ଜାତୀୟ ସାଇକେଲ ଆରୋହୀ ଯୋଗେନ୍ଦ୍ର ସିଂଙ୍କ ନେତୃତ୍ୱରେ ଆସିଥିବା ୨୪ ଜଣିଆ ସାଇକେଲ ଆରୋହୀ ବୁଧବାର ଗଜପତି ଜିଲ୍ଲାର ମୋହନାରେ ପ୍ରବେଶ କରିଥିଲେ । ସେମାନେ ରା.ଉଦୟଗିରି, ନୂଆଗଡ, ରାୟଗଡ ଆଦି ବ୍ଲକ ବୁଲି ପାରଳାଖେମୁଣ୍ଡିରେ ପହଞ୍ଚି ରାତ୍ରୀ ଯାପନ କରିବା ପରେ ଆଜି ସକାଳୁ କାଶୀନଗର ବ୍ଲକ ଦେଇ ରାୟଗଡ ଜିଲ୍ଲା ଅଭିମୁଖେ ବାହାରିଛନ୍ତି । ଏଥିରେ ଓଡିଶାର ମଧୁସୂଦନ ମିଶ୍ର, ସୁଧୀର ଦାଶ, ଦିଲ୍ଲୀର ଅମିତ ଗୋଏଲଙ୍କ ସମେତ ବହୁ ଲୋକେ ସାମିଲ ହୋଇଥିବା ବେଳେ ଏମାନେ ସାରା ଓଡିଶା ଭ୍ରମଣ କରି ଏହି ବାର୍ତ୍ତା ପ୍ରଚାର କରିବେ ବୋଲି କହିଛନ୍ତି । ଏହି ଦଳକୁ ଗଜପତି ଟେନିସ କୁବ ଏବଂ ସେ ବୁରିୟନ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୁଧବାର ଏହି ଶୋଭାଯାତ୍ରାକୁ ଏସପି ସାରା ଶର୍ମା ସବୁଜ ପତାକା ଦେଖାଇ ବିଦାୟ ଦେଇଥିଲେ । କିଛିବାଟ ଖୋଦ୍ ଏସପି ସେମାନଙ୍କ ସହ ସାଇକେଲ ଚଲାଇ ସାଇକେଲ ଆରୋହୀଙ୍କୁ ଉତ୍ସାହିତ କରି ସାଇକଲ ଚଳାଇବାରେ ବି ସେ କମାଲ ଦେଖାଇ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା