ମୋହନା (ସମୃଦ୍ଧ ଓଡିଶା) ବିଦ୍ୟୁତ୍ ଖୁଣ୍ଟି ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଜଣକର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ରାମଗିରି ଥାନା ଅନ୍ତର୍ଗତ ବୋଲଡା ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକର ମୃତ୍ୟୁ ହୋଇଛି । ମୃତକ ଜଣକ ବାଲଡି ଗ୍ରାମର ମଣ୍ଟୁ ପ୍ରଧାନ ବୋଲି ଜଣାପଡିଛି । ବିଦ୍ୟୁତ ଖୁଣ୍ଟି ବୋଝେଇ ଟ୍ରାକ୍ଟରଟି ବଡ଼ପୁତାର ଗ୍ରାମରୁ ୬ଜଣ ଶ୍ରମିକଙ୍କୁ ନେଇ ମଣ୍ଡଳସାହି ଗ୍ରାମ ଠାରୁ ଲୋବା ଯାଉଥିଲା । ଏହି ସମୟରେ ଟ୍ରାକ୍ଟରଟି ବୋଲଡା ଗୁମ୍ମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ସାତ ଜଣ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଟ୍ରାକ୍ଟର ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଥିବା ୬ଜଣଙ୍କୁ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଅନ୍ୟ ଦୁଇ ଗୁରୁତରଙ୍କୁ ଜିଲ୍ଲା ଚିକତ୍ସାଳୟ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରାମଗିରି ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ରାମଗିରି ଥାନା ଅଧିକାରୀ ବିକାଶ କୁମାର ସେଠି ସୂଚନା ଦେଇଛନ୍ତି ।
ରିପୋର୍ଟ : ଆଦିତ୍ୟ ପଟ୍ଟନାୟକ