ଟ୍ରାଫିକ୍ ନିୟମ କଡ଼ାକଡ଼ି : ବାଇକ ଚାଳକ ସାବଧାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାରଙ୍କ ପକ୍ଷରୁ ଟ୍ରାଫିକ୍ ନିୟମକୁ ବର୍ତ୍ତମାନ କଡ଼ାକଡ଼ି କରାଯାଇଛି । ଜାନୁଆରୀ ପହିଲାରୁ ଦୁଇଚକିଆ ଯାନରେ ଗାଡ଼ି ଚାଳକ ସହ ପଛରେ ବସିଥିବା ଲୋକ ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସହରରେ ହେଲମେଟ ପିନ୍ଧୁ ନଥିବା ବାଇକ୍ ଚାଳକ ଏବଂ ନିୟମ ଉଲଂଘନ କରୁଥିବା ଲୋକଙ୍କୁ ଧରିବାକୁ ୫ଟି ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ କରାଯାଇଥିବା ଜଣାପଡିଛି । ବ୍ରହ୍ମପୁର ମହାନଗରର ପିଭିଏନ୍ ରାଓ, ଗେଟ ବଜାର, ଟାଟାବେଞ୍ଜ ଛକ, କମାପଲ୍ଲୀ ଛକ ଓ ସୁବାରାଓ ଟ୍ରାଫିକ୍ ଛକରେ କ୍ୟାମେରା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଟ୍ରାଫିକ୍ ଡ଼ି.ଏସ୍.ପି ବିମଳକାନ୍ତ ନାୟକ କହିଛନ୍ତି ଯେ ଗାଡ଼ି ଚାଳକଙ୍କ ମାନସିକତାରେ ସଚେତନତା ଏବଂ ଦୁର୍ଘଟଣା ଭୟ ରହିବା ଆବଶ୍ୟକ ନଚେତ ଜୀବନ ସୁରକ୍ଷା ରହିବା ଅସମ୍ଭବ । ଶନିବାର ଦିନ ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲ ଛକ, କମାପଲ୍ଲୀ ଛକ, ଫାଷ୍ଟଗେଟ ଛକ, ପୁରୁଣା ବସଷ୍ଟାଣ୍ଡ ଭଳି ବିଭିନ୍ନ ଛକ ଗୁଡିକରେ ଚେକିଙ୍ଗ କରାଯାଇଥିଲା । ଏଥିରେ ବହୁ ଲୋକ ବିନା ହେଲମେଣ୍ଟ ଓ ବିନା ମାକ୍ସରେ ବୁଲୁଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ହେଲମେଣ୍ଟ ଓ ମାକ୍ସ ପରିଧାନ କରିବାକୁ ପୋଲିସ ପକ୍ଷରୁ ଅମାନିଆଙ୍କୁ ପରାମର୍ଶ ଦିଆଯାଉଛି । ଏହା ସହ ଚାରି ଚକିଆ ଯାନର ମଧ୍ୟ ଚାଳକଙ୍କ ସିଟ୍ ବେଲ୍ଟ ଓ ଗାଡିର କାଗଜପତ୍ର ଯାଞ୍ଚ କରାଯାଉଛି । ଶନିବାର ସନ୍ଧ୍ୟା ସୁଦ୍ଧା ଜାନୁଆରୀ ୧ ତାରିଖ ଏବଂ ୨ ତାରିଖରେ ଅମାନିଆ ଚାଳକଙ୍କ ଠାରୁ ଜରିମାନା ବାବଦକୁ ୧ ଲକ୍ଷ ୧୪ ହଜାର ଆଦାୟ କରାଯାଇଥିବା ବେଳେ ବିନା ମାସ୍କରେ ଯାତାୟାତ କରୁଥିବା ବ୍ୟକ୍ତିଙ୍କ ଠାରୁ ୨୨ଶହ ଟଙ୍କା ଆଦାୟ କରାଯାଇଛି । ଏହାସହ ୪୫୦ରୁ ଉର୍ଦ୍ଧ୍ବ ନିୟମ ଉଲଂଘନକାରୀ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଟ୍ରାଫିକ ଅଧିକାରୀ ସୁନୀଲ କୁମାର ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା