ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନର ୨ନଂ ପ୍ଲଟଫର୍ମରେ ଆଜି ସକାଳ ପ୍ରାୟ ୫ଟା ସମୟରେ ସମ୍ବଲପୁର-ହାୱଡା ଟ୍ରେନରୁ ଖସିପଡି ଜନୈକ ଯୁବକ ଗୁରୁତର ହୋଇ ଏବେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ୱର ଜିଲା ଖାଉଟି ଅଦାଲତର ପୂର୍ବତନ ସଭ୍ୟ ଶରତ ଚନ୍ଦ୍ର ପଣ୍ଡାଙ୍କ ଜ୍ୟେଷ୍ଠପୁତ୍ର ସୁମନ ସେଖର ପଣ୍ଡା (୩୩) ବଲାଙ୍ଗିର ଜିଲା ଟିଟିଲାଗଡଠାରେ ଥିବା ଫୁଡ କର୍ପୋରେସନ ଅଫ ଇଣ୍ଡିଆର ଶାଖା ପରିଚାଳକ ରୂପେ କାର୍ଯ୍ୟ କରୁଛନ୍ତି । ଗତକାଲି ରାତିରେ ସେ ସମ୍ବଲପୁର-ହାୱଡା ଟ୍ରେନ୍ଯୋଗେ ବାଲେଶ୍ୱରକୁ ଦୀପାବଳି ଛୁଟି ଅବସରରେ ଆସୁଥିବା ବେଳେ ଟ୍ରେନ୍ରେ ଶୋଇପଡିଥିଲେ । ହଠାତ୍ ତାଙ୍କ ନିଦ ଭାଂଗିବା ବେଳେକୁ ଟ୍ରେନ୍ଟି ଜଳେଶ୍ୱର ଷ୍ଟେସନ ପ୍ଲଟଫର୍ମ ଅତିକ୍ରମ କରୁଥିବା ବେଳେ ଗତି ମନ୍ଥର ହୋଇଥିବା ଯୋଗୁଁ ସେ ଓହ୍ଲାଉଥିବା ବେଳେ ଗୋଡ ଖସିଯାଇଥିଲା । ଫଳରେ ତାଙ୍କ ମଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ କର୍ତ୍ତବ୍ୟ ରତ ଆର୍ପିଏଫ ଓ ରେଳ କର୍ମଚାରୀ ପ୍ରଶାନ୍ତ ଦାସ ତାଙ୍କୁ ସ୍ଥାନୀୟ ଜିକେଭଟ୍ଟର ଡାକ୍ତରଖାନାକୁ ନେଇଯାଇଥିଲେ । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଆର୍ପିଏଫ କର୍ମଚାରୀ ସେଠାରୁ ବାଲେଶ୍ୱର ନେଇଯିବା ପରିବର୍ତ୍ତେ ଷ୍ଟେସନକୁ ଫେରି ଆସିଥିଲେ । ଶେଷରେ ଅନ୍ୟଉପାୟ ନ ପାଇ ଷ୍ଟେସନ ମ୍ୟାନେଜର ଖବେନ୍ଦ୍ରନାଥ ମଣ୍ଡଳଙ୍କ ନିର୍ଦ୍ଦେଶକ୍ରମେ ରେଳ କର୍ମଚାରୀ ପ୍ରଶାନ୍ତ ଦାସ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଗୁରୁତର ସୁମନର ସାନଭାଇ ଡା. ସୁଶାନ୍ତ ସେଖର ପଣ୍ଡା ପ୍ରାଥମିକ ଚିକିତ୍ସା କରାଇ ଶେଷରେ ଆମିର ହସ୍ପିଟାଲ ଚିକିତ୍ସା ପାଇଁ ପଠାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା