‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍-ସୁଜଳ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଓ ପୁରୀରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍-ସୁଜଳ’ ଲୋକାର୍ପିତ କରିଥିବା ଜଣାପଡିଛି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇଥିବା ବେଳେ ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପରୁ ପାଣି ଆଣି ପିଇ ପାରିବେ ବୋଲି କୁହାଯାଇଛି । ଏହି ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍-ସୁଜଳ’ ରାଜ୍ୟରେ ସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ୱରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ତୃଷାରକାନ୍ତି ବେହେରା ଓ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ହେଉଛି ଏକ ବଡ ପର୍ଯ୍ୟଟକ କେନ୍ଦ୍ର । ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍-ସୁଜଳ’ ସୁବିଧା ଦ୍ୱାରା ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମି ଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଦଶ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହର ମାନଙ୍କ ମଧ୍ୟରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ୱର ଦେଶର ପ୍ରଥମ ସହର ଅଟେ ବୋଲି କୁହାଯାଇଛି ।