ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଦ୍ୱାରା ଦ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବୃକ୍ଷମାନଙ୍କ ସ୍ଥାନରେ ନୂତନ ବୃକ୍ଷରୋପଣ କରି ମାନବସମାଜ ତଥା ପରିବେଶର ସନ୍ତୁଳନ ରକ୍ଷାର ସଂକଳ୍ପ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସର୍ବସାଧାରଣ ସ୍ଥାନରେ PLV ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଇନ ସାକ୍ଷରତା ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ର ଆଇନ ସାକ୍ଷରତା ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ୱାରା ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ଅବସରରେ ମାନବ ସମାଜର ଅବସ୍ଥିତି ତଥା ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରାଜକିଶୋର ମହାପାତ୍ର ଯୋଗଦେଇ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବୃକ୍ଷରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମୌସୁମୀ ସାହୁ, ବୃକ୍ଷରୋପଣ ଦ୍ୱାରା ମାନବ ସମାଜ କିପରି ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରିପାରିବ ସେ ବିଷୟରେ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜିଷ୍ଟ୍ରାର ସିଭିଲ କୋଟର୍ସ ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି(ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳୀ ନନ୍ଦ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ନାୟକ, କୋର୍ଟ ମ୍ୟାନେଜର ଶ୍ରୀମତୀ ପ୍ରିୟଙ୍କା ମିଶ୍ର, ଛାତ୍ର ଆଇନ ସାକ୍ଷରତା ସଂଘର ଭାରପ୍ରାପ୍ତ ଶିକ୍ଷକ ଦେବରାଜ ରାଉତ, ସର୍ବଶ୍ରୀ ଧ୍ୟାନଚାନ୍ଦ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଅକ୍ଷୟ କୁମାର ପଣ୍ଡା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳର ସମସ୍ତ କର୍ମଚାରୀ ଓ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବନଖଣ୍ଡ ଅଧିକାରୀ, ସୁଦର୍ଶନ ପାତ୍ର, ରେଞ୍ଜ ଅଫିସର ମନୁୱର ଖାଁ ବୃକ୍ଷଚାରା ଯୋଗାଣ କରିବା ସହିତ ଏହାର ରୋପଣ କରିବା ନିମନ୍ତେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ ପରିଚାଳନା କରିବା ସହିତ ବୃକ୍ଷରୋପଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି