

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଡାକମଣ୍ଡଳ ତରଫରୁ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଡିଜିଟାଲ ଇଣ୍ଡିଆ ଆନିଭର୍ସରୀ ପାଳିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ଡାକମଣ୍ଡଳର ଡାକ ଅଧିକ୍ଷକ ବିପିନ ବିହାରୀ ମହାନ୍ତି, ଢେଙ୍କାନାଳ ପ୍ରଧାନ ଡାକ ଘରର ପ୍ରଧାନ ଡାକପାଳ ପୂର୍ଣ୍ଣଚନ୍ଦ୍ର ଶୁକ୍ଳା, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ମହେଶ ନାୟକଙ୍କ ସମେତ ବହୁ ଡାକ କର୍ମଚାରୀ ଓ ଜନସାଧାରଣଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି । ଆଜକୁ ୪ ବର୍ଷ ତଳେ ୧ ଜୁଲାଇ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ଡିଜିଟାଲ ଇଣ୍ଡିଆର ଶୁଭ ଉଦଘାଟନ କରିଥିଲେ । ଡିଜିଟାଲ ଇଣ୍ଡିଆର ଉଦଘାଟନ ପରଠାରୁ ଭାରତୀୟ ଡାକ ବିଭାଗର ବହୁ କ୍ଷେତ୍ରରେ ଡିଜିଟାଲୀକରଣ ହୋଇସାରିଛି । ଯେପରିକି ପୋଷ୍ଟ ଅଫିସର ସମସ୍ତ ସଞ୍ଚୟ ଖାତା ଗୁଡିକରେ କୋର ବ୍ୟାଙ୍କିଙ୍ଗ ସୁବିଧା, ଡାକ ଜୀବନ ବୀମାର କମ୍ପୁଟରୀକରଣ ହେବା, ଚିଠି ପତ୍ରର ବଣ୍ଟନ ସ୍ମାର୍ଟ ଫୋନ ଜରିଆରେ କରାଯିବା ଏବଂ ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ସୁବିଧା ଯୋଗାଇବା ଇତ୍ୟାଦି । ଏହାଛଡା “ଦର୍ପଣ” ପ୍ରୋଜେକ୍ଟ ଡିଜିଟାଲ ଇଣ୍ଡିଆର ଆଉ ଗୋଟିଏ ପଦକ୍ଷେପ । ଏହା ଜରିଆରେ ଢେଙ୍କାନାଳ ଡାକ ମଣ୍ଡଳର ୫୦ଟି ଉପଡାକଘର ଅନ୍ତର୍ଗତ ୪୧୯ଟି ଗ୍ରାମାଞ୍ଚଳରେ ଥିବା ଶାଖା ଡାକଘର ଗୁଡିକ ଅନ୍ତର୍ଭୁକ୍ତ ହୋଇସାରିଛି । ଏବେ ଢେଙ୍କାନାଳ ଡା଼କମଣ୍ଡଳ ଅଧିନସ୍ଥ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗ୍ରାମାଂଚଳର ଲୋକମାନେ ଡିଜିଟାଲ, ଆଡ଼ଭାନସମେଣ୍ଟ ଅଫ ରୁରାଲ ପୋଷ୍ଟ ଅଫିସ ଫରନିଭ ଇଣ୍ଡିଆ(DARPAN) ସାଧନ ଦ୍ୱାରା ଟଙ୍କା ପଇସା ନେଣଦେଣ, ବିମାରାଶି ପଇଠ ଏବଂ ଚିଠିପତ୍ରର ମଧ୍ୟ ଆଦାନ ପ୍ରଦାନ ପାରଦର୍ଶିତାର ସହ ବହୁତ ଶୀଘ୍ର ଓ ସୁବିଧାରେ କରିପାରୁଛନ୍ତି । ଏବେ ପୋଷ୍ଟ ଅଫିସର ଖାତାଗୁଡିକ ମଧ୍ୟ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ (ଆଇ.ପି.ପି.ବି) ସହିତ ସଂଯୋଗ କରାଯାଇପାରୁଛି ଯଦ୍ୱାରା ଗ୍ରାହକମାନେ ଅନ୍ୟ ବ୍ୟାଙ୍କ ଭଳି ସୁବିଧା ମଧ୍ୟ ପାଇପାରୁଛନ୍ତି । ଏତଦବ୍ୟତିତ ଆଇ.ପି.ପି.ବି ର ଗ୍ରାହକମାନେ ଏନ.ଇ.ଏଫ.ଟି, ଆର.ଟି.ଜି.ଏସ, ମୋବାଇଲ ରିଚାର୍ଜ, ଜଳକର ଦେୟ, ବିଦ୍ୟୁତ କର ଦେୟ ସହିତ ଅନ୍ୟ ବ୍ୟାଙ୍କ ଖାତାକୁ ମଧ୍ୟ ଟଙ୍କା ପ୍ରେରଣ କରାଯାଇ ପାରୁଛି । ଆଗାମୀ ଦିନ ଗୁଡିକରେ ଭାରତୀୟ ଡାକ ବିଭାଗ ଗ୍ରାହକ ସନ୍ତୋଷକୁ ଆଖି ଆଗରେ ରଖି କିପରି ସବୁ କ୍ଷେତ୍ରରେ ଡ଼ିଜିଟାଲିକରଣ ଦ୍ୱାରା ଅଧିକରୁ ଅଧିକ ସୁବିଧା, ଅତି କମ ସମୟରେ ଯୋଗାଇପାରିବ ସେ ଦିଗରେ ଚେଷ୍ଟା ଚଳାଇଛି । ଏହି କାର୍ଯ୍ୟକ୍ରମକୁ ବ୍ୟବସାୟ କାର୍ଯ୍ୟନିର୍ବାହୀ ଦିପ୍ତୀରଂଜନ ସାମନ୍ତ ପରିଚାଳନା କରିବା ସହିତ ଢେଙ୍କାନାଳ ଡାକ ମଣ୍ଡଳର କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ସୁବୋଧ କୁମାର ଶତପଥୀ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି