ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହରରେ ଇଦଜୁହା ଦିବସ ପାଳନ ହୋଇଯାଇଛି । ସହରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସହଯୋଗ ସଦଭାବନାର ପ୍ରତ୍ୟେକ ସ୍ୱରୂପ ମିନା ବଜାର ଜାମା ମସଜିଦରେ ନମାଜ ପାଠ କରାଯାଇଥିଲା । ଏହି ପର୍ବଟି ତ୍ୟାଗ ଓ ବଳିଦାନର ପର୍ବ ଅଟେ । ତ୍ୟାଗ କହିଲେ ମନୁଷ୍ୟ ତାର ଗର୍ବ, ଅହଂକାର, ଲୋଭ, କାମନା, ଇର୍ସା, ବର୍ବରତା, ଅମାନବିକତା, ମୋହ, ମାୟା ପ୍ରଭୃତିକୁ ତ୍ୟାଗ କରି ସମାଜରେ ଭାଇଚାରା ସୃଷ୍ଟି କରିବାକୁ ବୁଝାଏ । ଏହି ପର୍ବର ଏକ କିମ୍ବଦନ୍ତୀ ରହିଅଛି । ପୋୖଗମ୍ବର(ମହାପୁରୁଷ) ଇବ୍ରାହିମ(ଅସ୍ୱ)ଙ୍କର କୌଣସି ସନ୍ତାନ ହେଉନଥିଲା । ସେ ଯେତେବେଳେ ଦ୍ଵିତୀୟ ବିବାହ କଲେ ସେ ସମୟରେ ଦ୍ଵିତୀୟ ପତ୍ନୀଙ୍କ ଗର୍ଭରୁ ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ତାଙ୍କ ନାମ ରଖାଯାଇଥିଲା ଇସମାଇଲ(ଅସ୍ୱ) । ଯେତେବେଳେ ପୁଅ ୧୩ ବର୍ଷର ହୋଇଥିଲା ସେ ସମୟରେ ଅଲ୍ଲାତାଲା ଇବ୍ରାହିମ(ଅସ୍ୱ)ଙ୍କୁ ସ୍ୱପ୍ନରେ ଆଦେଶ ଦେଲେ ତାଙ୍କର ଅତି ପ୍ରିୟ ପୁତ୍ରକୁ ବଳି ଦେବା ପାଇଁ ହେଲେ ଅଲ୍ଲାଙ୍କ ଆଦେଶକୁ କିପରି ସେ ଅମାନ୍ୟ କରିପାରିଥାନ୍ତେ । ସେଥିପାଇଁ ସକାଳୁ ସେ ତାଙ୍କ ପୁତ୍ରକୁ ନିଜର ଜଣେ ଖାସ ବନ୍ଧୁଙ୍କ ନିକଟକୁ ନେଇ କି ଯାଉଛି ବୋଲି ନିଜ ସ୍ତ୍ରୀଙ୍କୁ ଜଣାଇ ପୁତ୍ରକୁ ସାଙ୍ଗରେ ନେଇ ଦୂର ସ୍ଥାନକୁ ଚାଲିଗଲେ ଏବଂ ଏକ ନିର୍ଜନ ସ୍ଥାନରେ ପୁଅକୁ ଜଣାଇଲେ ଯେ ମୁଁ ତୋତେ ଅଲ୍ଲାଙ୍କ ରାସ୍ତାରେ ବଳି ଦେବାକୁ ନେଉଛି ଏହା ଅଲ୍ଲାଙ୍କ ଆଦେଶ ଅଛି । ତାଙ୍କ ଆଦେଶକୁ ମୁଁ ଅମାନ୍ୟ କରିପାରିବି ନାହିଁ । ଏହା ଶୁଣି ପୁଅ ଇସମାଇଲ(ଅସ୍ୱ) ଖୁସି ହୋଇଗଲା ଏବଂ ବାପାଙ୍କୁ କହିଲା ବାପା ତମେ ମୋ ବେକରେ ଛୁରୀ ଚଳାଇବା ସମୟରେ ତମ ହାଥ ଥରି ପରେ ତେଣୁ ତମେ ଆଖିରେ ଗୋଟେ ପଟି ବାନ୍ଧି ଛୁରୀ ଚଳାଇଦିଅ । ବାପା ଆଖିରେ ପଟି ବାନ୍ଧି ପୁଅକୁ ଗୋଟିଏ ପଥରରେ ଶୁଆଇ ତଣ୍ଟିରେ ଛୁରୀ ଚଳିଆବାକୁ ଯିବା ସମୟରେ ଅଲ୍ଲାଙ୍କୁ ଏହା ବହୁତ ଭଲ ଲାଗିଲା ସେ ତାଙ୍କ ଫରିସ୍ତେ(ଦୂତ)ଙ୍କୁ ଆଦେଶ ଦେଲେ ଏବଂ ଫରୀସ୍ତା ସଂଗେ ସଂଗେ ପୁଅକୁ ସେ ସ୍ଥାନରୁ ଉଠାଇ ଜନ୍ମତ(ସ୍ୱର୍ଗ)ରୁ ଏକ ଦୁମ୍ବା (ଏକ ପ୍ରକାର ପଶୁ)କୁ ତା ସ୍ଥାନରେ ଶୁଆଇ ଦେଲେ । ବାପା ଯେତେବେଳେ ଛୁରୀ ଚଳାଇଛନ୍ତି ସେତେବେଳେ ବିଚଳିତ ହୋଇ ସଂଗେ ସଂଗେ ଆଖିରୁ ପଟି କାଢି ଦେଇ ଦେଖନ୍ତି ତା ପୁଅ ଜାଗାରେ ଏକ ପଶୁ ପଡିଛି ଓ ପୁଅ ପାଖରେ ଅତି ପ୍ରଫୁଲ୍ଲ ମନରେ ଛିଡା ହୋଇଅଛି । ଏହା ଥିଲା ଏକ ପ୍ରକାରର ତ୍ୟାଗ ଓ ଭକ୍ତି । ନିଜର ସବୁଠାରୁ ପ୍ରିୟ ନିଜ ପୁତ୍ରକୁ ଅଲ୍ଲାଙ୍କ ରାସ୍ତାରେ ବଳିଦାନ ଦେବା । ସେହି ବଳିଦାନକୁ ମନେ ରଖିବା ପାଇଁ ଆଜି ଏହି ପବିତ୍ର ଦିନରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବଳିଦାନର ପରମ୍ପରା ରହିଅଛି । କିନ୍ତୁ ପ୍ରକୃତ ବଳିଦାନ ହେଉଛି ନିଜର ଅହଂକାରକୁ ବଳିଦାନ ଦେବା । ନିଜ ଭିତରେ ଲୁଚି ରହିଥିବା ଖଳ ପ୍ରକୃତି ସ୍ୱରୂପ ପଶୁର ବଳି ପକାଇବା । ତେବେ ଯାଇ ସଂସାରରେ ସମସ୍ତେ ଖୁସି ରହିପାରିବ ଓ ଅଲ୍ଲାତାଲା ସନ୍ତୁଷ୍ଟ ହେବେ ବୋଲି ଜାମା ମସଜିଦ ପରିଚାଳନା କମିଟିର ସହ ସମ୍ପଦକ ତଥା ଆମ ଆଦମୀ ପାର୍ଟିର ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟ ସମ୍ପାଦକ ନୁରୁଲ ଇସଲାମ ମତବ୍ୟକ୍ତ କରିଛନ୍ତି । ଜାମା ମସଜିଦର ଇମାନ ଜନାବ ଅବୁଲ ହସନ ସାହାବ ସମୂହ ନମାଜ ପାଠ କରାଇଥିବା ସମୟରେ ଜନାବ ମମଦ ବେଗ, ଜନାବ ମୁନିର ବେଗ, ଜନାବ ସେଲେମାନ ଖାଁ (ଆଡ଼ଭୋକେଟ), ଜନାବ ସରୱାର ଅଲ୍ଲୀ, ଜନାବ ହାଜି ଅବଦୁଲ ସତ୍ତାର ସାହାବଙ୍କ ସମେତ ବହୁ ମୁସଲମାନ ବ୍ୟକ୍ତି ଏହି ନମାଜ ପାଠରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି