ବିଶ୍ୱସନୀୟତାର ଅନ୍ତରାଳେ ମାନସିକ ଭେଦଭାବରେ
ସନ୍ଦେହ, ନୈରାଶ୍ୟ ଜାଗ୍ରତ କରି ଆନ୍ତରିକତାକୁ କ୍ଷୀଣ
କରୁଥିବା ଏକ ମାଧ୍ୟମ ଯାହା ପ୍ରେମ ପରିବର୍ତ୍ତେ ହିଂସାତ୍ମକ
ମନୋଭାବ ସୃଷ୍ଟି କରିବାରେ ଉପଯୋଗୀ ହୋଇଥାଏ !
ନିଜ ଅଧିନସ୍ଥ କୌଣସି ମୂଲ୍ୟବାନ ବସ୍ତୁ, ପଦାର୍ଥକୁ ତାଲା ପକାଇ ଚାବିକାଠି ଟିକୁ ଅତ୍ୟନ୍ତ ସନ୍ତର୍ପଣରେ ରଖୁଥିବା ଅଭ୍ୟାସ ପ୍ରତ୍ୟକ ମନୁଷ୍ୟର ଏକ ସହଜାତ ପ୍ରକୃତି ଭାବେ ଦେଖିବାକୁ ମିଳେ । ଅଧିକନ୍ତୁ ସାମାଜିକ, ପାରିପାଶ୍ୱିର୍କ ଶୈଖିକତା ମଧ୍ୟ କିଛି କମ୍ ପ୍ରଭାବ ପକାଇ ନଥାଏ ଏହି କାର୍ଯ୍ୟ କରିବା ପାଇଁ । ହେଲେ ବାହ୍ୟ ପ୍ରଭାବ ଜନିତ ସୁରକ୍ଷାର ଅନିଶ୍ଚିତତା କାରଣରୁ ମଣିଷ ସବୁବେଳେ ସନ୍ଦେହ ଘେରରେ ରହୁଥିବା ବେଳେ ଗୋଟିଏ ପରିବାର କିମ୍ବା ସୀମିତ ପରିଚିତ, ସମ୍ପର୍କିତ ଲୋକଙ୍କ କାର୍ଯ୍ୟସ୍ଥଳ ମଧ୍ୟରେ ଏହି ତାଲା-ଚାବିର ବ୍ୟବହାର କେଉଁ ଆବଶ୍ୟକତା ରଖିଥାଏ ଏବଂ ତଜ୍ଜନିତ ମନୋଭାବ, ବ୍ୟବହାରିକ ପ୍ରଭାବ ଏବଂ ଆନ୍ତରିକତାର ଅନ୍ତର କେତେ ରହିଥାଏ ବୁଝିବା, ଭାବନା ବହିର୍ଭୁତ ମଣିଷଙ୍କ ସ୍ଥିତି କ’ଣ ବିଚାର କରି ଦେଖିବା….. । ସାଧାରଣତଃ ମଣିଷ ସବୁବେଳେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟତା ଦେଇ ଆସୁଥିବା ଆମେ ସମସ୍ତେ ଭୁକ୍ତ ଭୋଗୀ । ହେଲେ ଏଠାରେ ଆମର ସୁରକ୍ଷା ଜନିତ ତାଲା-ଚାବିର ବ୍ୟବହାର ଉପରେ ଆଲୋକପାତ କରି ତର୍ଜମା କଲେ ଅନୁଭବ ହୁଏକି….. ବାହ୍ୟ ବିପଦ ଦୃଷ୍ଟିରୁ ସୁରକ୍ଷା ପାଇଁ ଆମେ ତାଲା-ଚାବି ବ୍ୟବହାର କରୁଥିବା ବେଳେ ଘର ଭିତରେ ମଧ୍ୟ ତାହାର ବ୍ୟବହାର କରିଥାଉ ଯେଉଁଠି ଆମ ଆତ୍ମୀୟ ସ୍ୱଜନ ପରିବାର ବର୍ଗଙ୍କ ବାସସ୍ଥଳୀ । ଅନୁରୂପ କୌଣସି କାର୍ଯ୍ୟ ସ୍ଥଳରେ ପରିଚିତ, ସମ୍ପର୍କିତ ଲୋକଙ୍କ ଚାରଣ ରହିଥାଇ ସମସ୍ତେ ସମସ୍ତଙ୍କ ପ୍ରତି ସନ୍ଦେହ ଭାବ ରଖୁଥିବା ହେତୁ ଏହି ସୁରକ୍ଷା କବଚର ବ୍ୟବହାର କରାଯାଇଥାଏ । ଅର୍ଥାତ ଏହା ନିଶ୍ଚିତ ସାବ୍ୟସ୍ତ କରୁଛିକି ଆମେ ଯେଉଁ ପରିବାର, ପରିବେଶ ମଧ୍ୟରେ ରହୁଛେ ସେଇଠି କାହାର କାହା ପ୍ରତି ବିଶ୍ୱାସ ଭାବ ରହୁନାହିଁ ! ସମସ୍ତେ ସମସ୍ତଙ୍କ ପ୍ରତି କୌଣସି ପରିସ୍ଥିତିରେ ସନ୍ଦେହରେ ରହୁଥିବା ହେତୁ ସୁରକ୍ଷା ଆବଶ୍ୟକ ହେଉଥିବା କାରଣରୁ ଆମେ ଏହି ଆଭ୍ୟନ୍ତରୀଣ ତାଲା ବ୍ୟବହାର କରିବା ଶିକ୍ଷା କରିଛୁ ! କଥା ବାର୍ତ୍ତା, ଚାଲି ଚଳନ, ବାହ୍ୟ ପ୍ରଦର୍ଶନକୁ ସମସ୍ତେ ସମସ୍ତଙ୍କ ପ୍ରତି ଏତେ ଅନାବିଳ ଭାବ ପ୍ରଦର୍ଶନ କରିଥା’ନ୍ତି, ସତେ ଯେମିତି ସେମାନେ ଗୋଟିଏ ଆତ୍ମାର ଭିନ୍ନ ଭିନ୍ନ ଅଂଶ ବିଶେଷ ଶରୀର ମଧ୍ୟରେ ଜୀବିତ । କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରୁ କାହାର କାହାପ୍ରତି ତିଳେ ହେଲେ ବିଶ୍ୱସନୀୟତା ରହିନଥାବା ସାଖ୍ୟ ପ୍ରମାଣ ଦେଇଥାଏ ଏହି ସୁରକ୍ଷା କବଚର ବ୍ୟବହାର । ଏହିଭଳି ପରିସ୍ଥିତିରେ ରହୁଥିବା ପରିବାର ପ୍ରାୟତଃ ୯୯ ରୁ ଉର୍ଦ୍ଦରେ ଥିବା ବେଳେ କୌଣସି କର୍ମ କ୍ଷେତ୍ରରେ କାର୍ଯ୍ୟରତ ସମକକ୍ଷ କର୍ମଚାରୀଙ୍କ ସଂଖ୍ୟା ୧୦୦ ହେବ ନିଶ୍ଚୟ ! ହେଲେ ଏହି ସୁରକ୍ଷା କବଚର ବ୍ୟବହାର କେବଳ ଅବିଶ୍ୱାସ କାରଣରୁ କରାଯାଉଥିବା ବେଳେ ତାହାର ଅନ୍ୟାନ୍ୟ ପ୍ରଭାବ ଗୁଡିକ କ’ଣ ହୋଇଥାଏ ବିଚାର କରିବା……ପରିବାର ସ୍ୱଜନ ମଧ୍ୟରେ ଅବିଶ୍ୱାସ ଜନିତ ଆନ୍ତରିକତା କ୍ଷୀଣ ହେଉଥିବା ଏକ ସୁନିଶ୍ଚିତ ବ୍ୟବସ୍ଥା ଯାହା ଉପରେ କେତେ ପ୍ରେମର ବାର୍ତ୍ତା ପ୍ରକଟ କଲେ ମଧ୍ୟ ଆନ୍ତରିକ ପ୍ରେମ ଜାଗ୍ରତ ହେବା ଅନିଶ୍ଚିତ । ପ୍ରେମ ବିଶ୍ୱାସର ଏକ ପ୍ରତିରୂପ । ଅବିଶ୍ୱାସ ଘେରରେ ପ୍ରେମ ଏକ ପ୍ରେତାତ୍ମାର କାରୁଣ୍ୟତା ସଦୃଶ୍ୟ ଦୃଶ୍ୟମାନ । ସ୍ୱଜନଙ୍କୁ କିମ୍ବା ଅନ୍ୟାନ୍ୟ ବନ୍ଧୁ ମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ନଥିଲେ ପ୍ରେମ ସୃଷ୍ଟି ହେବା ଅସମ୍ଭବ । କି’ନ୍ତୁ ଆମେ ଅନେକ ସମୟରେ ପ୍ରେମର ସଜ୍ଞାକୁ ଏତେ ନିକୁତ୍ସ କରି ପ୍ରକାଶ କରିଥାଉ ଯେଉଁଥିରେ ଅବିଶ୍ୱସନୀୟତା ଭରି ରହିଥାଏ । ତେଣୁ ସେହି ପ୍ରେମ ପ୍ରଳାପ ଏକ ଛଳନାତ୍ମକ ପରିବେଷ୍ଟନୀରେ ଅଂତରଣୀୟ ହୋଇଥାଏ ଯାହା ସମୟରେ ବିଶ୍ୱାସଘାତ କରିବାର ଅବିଶ୍ୱସନୀୟତା କାରଣରୁ ଆଭ୍ୟନ୍ତରୀଣ ସୁରକ୍ଷା କବଚର ବ୍ୟବହାର ଆବଶ୍ୟକ ହୋଇଥାଏ । ଅଧିକାଂଶ ପାରିବାରିକ କଳହ ସୃଷ୍ଟିର ମୂଳ କାରଣ ହୋଇଥାଏ ନିଜସ୍ୱ ସ୍ୱାର୍ଥ ଏବଂ ଅବିଶ୍ୱସନୀୟତା । ଇତି ମଧ୍ୟରେ ମିଥ୍ୟା ଗୋଟିଏ ମାଧ୍ୟମ ଭଳି କାର୍ଯ୍ୟ କରିଥାଏ ଯେଉଁଥିରେ ଅବିଶ୍ୱସନୀୟତା ଉପୁଜିବାର ଅତ୍ୟନ୍ତ ପଥ ପରିସ୍କୃତ ହୋଇଥାଏ । ପାରିବାରିକ ସମ୍ପର୍କର ନିବିଡ଼ତା ମଧ୍ୟରେ ଅବିଶ୍ୱସନୀୟତା ଏମିତି ଏକ ପ୍ରାଚୀର ସୃଷ୍ଟି କରେ ଯାହା ପ୍ରେମ ବଦଳରେ ହିଂସାତ୍ମକ ଭାବ ସୃଷ୍ଟି କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । କୌଣସି ପରିବାର ମଧ୍ୟରେ ନିଜର ବ୍ୟକ୍ତିଗତ ସୁରକ୍ଷା ଖୋଜୁଥିବା ମଣିଷଙ୍କ ମଧ୍ୟରେ ପ୍ରେମ ପରିବର୍ତ୍ତେ ହିଂସାତ୍ମକ ଭାବ ରହିଥାଇ ପ୍ରେମର ମିଥ୍ୟା ବାହାନା ପ୍ରଦର୍ଶନ ପୂର୍ବକ ଆମେ ବଂଚୁଥିବା ଅତ୍ୟନ୍ତ ସତ୍ୟ । କୌଣସି କାର୍ଯ୍ୟ କ୍ଷେତ୍ରରେ କେତେକ ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟ କଳାପରେ ମଧ୍ୟ ଅନୁରୂପ ଚିନ୍ତନ ଦେଖିବାକୁ ମିଳେ । ହେଲେ ଏହା ମଣିଷର ଏକ ମାନବୀୟ ଚରିତ୍ର କି ନାହିଁ ନିଜେହିଁ ବିଚାର କରି ଦେଖିବା କଥା । ଏହି ସୁରକ୍ଷା କବଚର ବ୍ୟବହାର ମଣିଷକୁ ଏକାକୀ କରି ଦେଉନାହିଁ ତ ? ବିଶେଷ ଭାବେ ବିଶ୍ଳେଷଣ କରି ଦେଖିଲେ ବୁଝି ହେବ ଯେ ମଣିଷ କେବଳ ଏହି ବ୍ୟକ୍ତିଗତ ସ୍ୱାର୍ଥ ତଥା ଅବିଶ୍ୱସନୀୟତାରୁ ହିଁ ଏକାକୀ ହୋଇ ରହିଥାଏ । ଅନ୍ୟମାନଙ୍କ ପ୍ରେମମୟ ପ୍ରବଚନ, ସମ୍ଭାଷଣ ଶୁଣି ମନରେ ଆନନ୍ଦ ଉପଲବ୍ଧ ହେଉଥିଲେ ମଧ୍ୟ ବାସ୍ତବିକ କାହାର କାହାପ୍ରତି ପ୍ରକୃତ ପ୍ରମ, ସମ୍ବେଦନଶୀଳତା ରହିନଥାଏ । କେତେକ କ୍ଷେତ୍ରରେ ଅନ୍ୟର କୁମନ୍ତ୍ରଣା, ପ୍ରରୋଚନାରେ ପଡି ମଣିଷ ନିଜର ହିତାହିତ ଜ୍ଞାନ ହଜାଇ ଦେଇ ସମସ୍ତଙ୍କ ପ୍ରତି ଅବିଶ୍ୱାସ ଭାବ ରଖୁଥିବା ମଧ୍ୟ ଦେଖିବାକୁ ମିଳେ । ଅବିଶ୍ୱାସ ଭାବ ରଖୁଥିବା ମଣିଷଙ୍କ ପ୍ରତି କାହାର ଆନ୍ତରିକତା ପରିବର୍ତ୍ତେ ହିଂସାତ୍ମକ ଭାବ ସୃଷ୍ଟି ହେବା ଅନିବାର୍ଯ୍ୟ । ସେହି ହିଂସା କାରଣରୁ ନିଜକୁ ଦୁଃଖୀ, ଅସନ୍ତୁଳିତ ଅବସ୍ଥାରେ ରଖିବା ଛଡା କାହାର ପ୍ରିୟ ଭାଜନ ହେବା ସମ୍ଭାବନା ନଥାଏ । ତେଣୁ ମଣିଷ ଏକ ପ୍ରେମମୟ ପରିବେଶ ସୃଷ୍ଟି କରି ଦୈନନ୍ଦିନ ଜୀବନ ଯାତ୍ରାକୁ ଆନନ୍ଦମୟ କରିବାକୁ ହେଲେ ବ୍ୟକ୍ତିଗତ ସ୍ୱାର୍ଥକୁ ପରିତ୍ୟାଗ କରିବାକୁ ହେବ । ସତ୍ୟବାଦୀ ଓ ବିଶ୍ୱସନୀୟତା ଭାବ ଜାଗ୍ରତ କରାଗଲେ ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ଏକ ଆନନ୍ଦମୟ ବାତାବରଣ ସୃଷ୍ଟି ହେବା ସମ୍ଭବ ହୋଇ ପାରିବ । ଅନ୍ୟଥା ସବୁବେଳେ ଅବିଶ୍ୱସନୀୟତା, ମିଥ୍ୟଚାରିତା ମଧ୍ୟରେ ନିଜକୁ ପରିଚାଳିତ କରି ଅନେକ ଦୁଃଖ, କଷ୍ଟ ପାଇବା ଛଡା ବାସ୍ତବ ଆନନ୍ଦ ଅନୁଭବ, ଉପଭୋଗ କରିବା ଅସମ୍ଭବ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି ବ୍ୟାଖ୍ୟା କରିବା ପାଇଁ ଅନୁରୋଧ…………
ପଙ୍କଜ କୁମାର ପାଣିଗ୍ରାହୀ ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ