

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୋଗରାଇ ବ୍ଲକର ତାଳସାରୀ ଠାରେ ଥିବା ସାଗର ସୈକତ ହୋଟେଲର ରୁମ୍ ନଂ-୧୦୫ରେ ଗତ ତା୨୧-୫-୨୦୧୮ରିଖ ରାତ୍ରୀରେ ଜଳେଶ୍ୱର ଥାନା ଅନ୍ତର୍ଗତ ଚୁଡାମଣିପୁର ଗ୍ରାମର ସପନ ପ୍ରଧାନଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣାର କ୍ରାଇମ୍ବ୍ରାଂଚ ତଦନ୍ତ କରି ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୃତ ସପନଙ୍କ ପରିବାର ବର୍ଗ ଜଳେଶ୍ୱର ପୂର୍ତ ବିଭାଗ ଡାକବଙ୍ଗଳାରେ ଶୁକ୍ରବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ପୋଲିସ ଉପଯୁକ୍ତ ନ୍ୟାୟ ପ୍ରଦାନ ନ କଲେ ସପରିବାର ଆତ୍ମାହୁତି ଦେବେ ବୋଲି ମୃତ ସପନଙ୍କ ବିଧବା ପତ୍ନୀ ସୁଷମା ରାଣୀ ପ୍ରଧାନ ଓ ବଡ ଭାଇ ନାରାୟଣ ଚନ୍ଦ୍ର ପ୍ରଧାନ ଚେତାବନୀ ଦେଇଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ତାଳସାରୀ ସାମୁଦ୍ରିକ ଥାନାର ପୋଲିସ ଅଧିକାରୀ ଦୁଇ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ସଂପୃକ୍ତ ହୋଟେଲର ମାଲିକ କିମ୍ବା ମ୍ୟାନେଜରଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ ନ କରି ଘଣ୍ଟ ଘୋଡାଉ ଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡ ଘଟଣାର ଦୀର୍ଘ ୭ ମାସ ଅତିକ୍ରମ କରିଥିଲେ ମଧ୍ୟ ତଦନ୍ତ ଆଗେଇ ନ ପାରିବାରୁ ଅତି ଶୀଘ୍ର କ୍ରାଇମବ୍ରାଂଚ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି । ମୃତ ସପନର ୨୩ ବର୍ଷର ବିଧବା ପତ୍ନୀ ଓ ୩ ବର୍ଷର ଝିଅଟିଏ ବହୁ ଦୁଃଖ କଷ୍ଟ ସହି ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ବିଦ୍ୟୁତ୍ ଷ୍ଟ୍ରକଚର୍ରେ ସପନ ପ୍ରଧାନଙ୍କ ସହ ବାଣିଦା ଗ୍ରାମର ଦୀନେଶ ମହାନ୍ତି ଓ ଭୋଗରାଇ ଥାନା ଅନ୍ତର୍ଗତ ଟୁକୁରୀ ହାଜିରା ଗ୍ରାମର ଜ୍ୟୋତି ପ୍ରକାଶ ପ୍ରଧାନ ଆଉଟ ସୋର୍ସିଂ କର୍ମଚରୀ ଭାବେ କାର୍ଯ୍ୟ କରୁଥିଲେ । ଗତ ତା୨୧-୫-୧୮ରିଖରେ ଉପରୋକ୍ତ ୩ଜଣ ତାଳସାରୀ ସ୍ଥିତ ସାଗର ସୈକତ ହୋଟେଲରେ ରାତ୍ରୀଯାପନ କରିଥିବା ବେଳେ ପରଦିନ ସକାଳେ ସପନକୁ ମୃତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଖବର ପାଇ ସପନଙ୍କ ବଡଭାଇ ନାରାୟଣ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ଏ ସଂପର୍କରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ହୋଟେଲର ଦୁଇତାଲା ଛାତ ଉପରେ ରକ୍ତର ଛିଟା ଲାଗିଥିବା ବେଳେ କେହି ଉକ୍ତ ସ୍ଥାନକୁ ପାଣିରେ ଧୋଇ ପରିସ୍କାର କରିଥିବା ଓ ମୃତ ସପନଙ୍କୁ ନିକଟରେ ଥିବା ଏକ ଏଜବେଷ୍ଟସ୍ ଛପର ଉପରେ ପଡିଥିବାର ଦେଖିବାକୁ ମିଳିଥିଲା । ଏପରିକି ହୋଟେଲର ରେକର୍ଡରେ ସଂପୃକ୍ତ ଏହି ବ୍ୟକ୍ତି ମାନଙ୍କ ନାମ ମିଳି ନ ଥିବା ବେଳେ ଘଟଣା ଘଟିବା ପର ଠାରୁ ହୋଟେଲର ମାଲିକ ଓ ମ୍ୟାନେଜର ହୋଟେଲ ଛାଡି ଫେରାର ହୋଇଯାଇଥିଲେ । ପାରିପାର୍ଶିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଏତାଲା ଦେବାପରେ ବିଳମ୍ବରେ ସପନଙ୍କ ସହ ଥିବା ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଛି । ମାତ୍ର ହୋଟେଲର ମାଲିକ କିମ୍ବା ମ୍ୟାନେଜରଙ୍କ ବିରୁଦ୍ଧରେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସନ୍ଦେହ ଉପୁଜିଥିଲା । ଏ ସଂପର୍କରେ ଥାନାରେ ମାମଲା ନଂ-୨୧/୧୮, ଦଫା-୩୦୨, ୩୪ଆଇ.ପି.ସି ମୂଳେ ରୁଜୁ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସମାଜ ସେବୀ ଦିଲ୍ଲୀପ ଗିରି, ଅରୁଣ ବେଜ, ନାରାୟଣ ଚନ୍ଦ୍ର ପ୍ରଧାନ, ଗଣେଶ ଚନ୍ଦ୍ର ପ୍ରଧାନ ଓ ସୁଷମା ରାଣୀ ପ୍ରଧାନ ଉପସ୍ଥିତ ରହି ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା