‘ତିତଲି’ ଓ ବର୍ଷାରେ ୬୨ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଦାୟୀ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର ( ଆକାଶ ମିଶ୍ର ) – ତିତ୍‍ଲି ବାତ୍ୟାରେ ଗୋଟିଏ ହେଲେ ଜୀବନ ହାନି ଘଟିବନାହିଁ ବୋଲି ସରକାର ଯେଭଳି ଭାବେ ଗଣମାଧ୍ୟମରେ ପ୍ରଚାର କରିଚାଲିଲେ ଏବଂ ବାତ୍ୟା ପରବର୍ତୀ ସମୟରେ ନିଜ ଦାୟିତ୍ୱ ଭୁଲିଗଲେ, ସେଥିପାଇଁ ବର୍ଷା ଓ ବନ୍ୟା ବିତ୍ପାତରେ ୭୦ରୁ ଅଧିକ ଜୀବନ ହାନି ଘଟିଲା । ଏଥିପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ଦାୟିତ୍ୱହୀନତା ସମ୍ପୂର୍ଣ୍ଣ ଦାୟୀ ବୋଲି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ।ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାପରେ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ ବାତ୍ୟା ଓ ବର୍ଷାରେ ୭୦ରୁ ଅଧିକ ପ୍ରାଣ ହରାଇଥିବା ଏବଂ ଏବେ ମଧ୍ୟ ମୃତଦେହ ଠାବ କରାଯାଉଥିବା ସତ୍ୱେ ଓଡ଼ିଶା ସରକାର ମୃତ୍ୟୁସଂଖ୍ୟା ମାତ୍ର ୬୧ ବୋଲି ଦର୍ଶାଉଛନ୍ତି ।ରାଜ୍ୟ ସରକାର ଭାରତୀୟ ପାଣିପାଗ ବିଭାଗର ପୂର୍ବ ସତର୍କ ସୂଚନାକୁ ଗୁରୁତ୍ୱର ସହିତ ଗ୍ରହଣକରି ତାହାର ଆଧାରରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସ୍ଥାନୀୟ ସ୍ତରରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲେ ଏଭଳି ମୃତାହତ ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି ସେ କହିଛନ୍ତି ।ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରି ଶ୍ରୀ ସିଂ କହିଛନ୍ତି, ବାତ୍ୟା ପ୍ରାରମ୍ଭରୁ ଓଡ଼ିଶା ସରକାରଙ୍କ ଅଫିସର ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ଏହାକୁ ଯେଉଁଭଳି ଗୁରୁତ୍ୱ ଦେବାକଥା, ତାହା କଲେନାହିଁ । ସମୁଦାୟ ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଜିଲା ଗଞ୍ଜାମ ଉପରେ ଦୃଷ୍ଟିନିବଦ୍ଧ କଲା ।ବାତ୍ୟା ‘ତିତ୍ଲି’ ସ୍ଥଳଭାଗକୁ ପ୍ରବେଶ କରିବା ଦିନ ଏସଆରସିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରୁ ଏହି ଅଭିଯୋଗ ସତ ପ୍ରମାଣିତ ହୋଇଛି । କଂଗ୍ରେସ କହିଛି, ତିତ୍ଲି ସ୍ଥଳଭାଗ ଛୁଇଁବା ପୂର୍ବଦିନ ଏବଂ ଛୁଇଁବା ପରଦିନ ଏସଆରସିଙ୍କ ପକ୍ଷରୁ ପ୍ରକାଶିତ ପ୍ରେସ ବିବୃତିରେ କେତେଲୋକ ପ୍ରଭାବିତ ହୋଇଛନ୍ତି, କେତେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, କେତେ ଗ୍ରାମ ପଂଚାୟତ, ଗ୍ରାମ ଆଦି କ୍ଷତିଗ୍ରସ୍ତ ହୋଇଛି, କେତେ ଅଫିସରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି, କେତେ ଅସୁସ୍ଥ ଲୋକ ଓ ମହିଳାଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି, ସେ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା ।କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ରିପୋର୍ଟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗଜପତି ଜିଲା ସମ୍ପର୍କରେକୌଣସି ବିସ୍ତୃତ ତଥ୍ୟ ଉଲ୍ଲେଖ ନଥିଲା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା ଯେ, ପଲାସା ନିକଟରେ ଭୂଭାଗ ସ୍ପର୍ଶ କରିବାପରେ ତିତ୍‍ଲି  ତାହାର ଦିଗ ପରିବର୍ତନ କରି ଉତର-ପୂର୍ବ ଦିଗରେ ଗତିକରିବା ସହିତ ଓଡ଼ିଶାର ଅଧିକ ଅଂଚଳ ଉପରଦେଇ ଯିବ ।ତାହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ଫୁଲବାଣୀ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଏହା ଚେତାବନୀ ଦେଇଥିଲା । ତେଣୁ ବାତ୍ୟା ପରବର୍ତୀ ସମୟରେ ଅତିପ୍ରବଳ ବର୍ଷା ହେବା ଆଶା କରାଯାଉନଥିଲା ବୋଲି ସରକାର ଯାହା ପ୍ରମାଣିତ କରିବାକୁ ଚାହୁଛନ୍ତି, ତାହା ଡାହା ମିଛ ବୋଲି ପ୍ରମାଣିତ ହେଉଛି ।ଓଡ଼ିଶା ପ୍ରଭାରୀ କହିଛନ୍ତି, ବାତ୍ୟା  ତିତିଲ୍ କରିବାପୂର୍ବରୁ ଗଜପତି ଜିଲାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବାରଘର ଗ୍ରାମକୁ ଜିଲା ପ୍ରଶାସନର କେହି ଯାଇନଥିଲେ କିମ୍ବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ସକାଶେ ଉଦ୍ୟମ କରିନଥିଲେ । ଉକ୍ତ ଗ୍ରାମରେ ଭୂସ୍ଖଳନ ଘଟି ୧୮ଜଣଙ୍କର ପ୍ରାଣହାନି ଘଟିଛି । ତେଣୁ ରାଜ୍ୟ ସରକାର ଯାହା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ । କୌଣସି ସରକାରୀ ଅଧିକାରୀ ସେମାନଙ୍କ ନିକଟରେ ପହଂଚି ନଥିବା ଗ୍ରାମବାସୀ ମଧ୍ୟ କହିଛନ୍ତି ।ଓଡ଼ିଶା ସରକାର ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରି ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥିଲେ, ବହୁ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିଥାନ୍ତା । ସେ କହିଛନ୍ତି, ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ ବା ଶୂନ୍ ମୃତ୍ୟୁ ପ୍ରଚାରକୁ ନେଇ ଏଭଳି ପାଗଳ ଥିଲେ ଯେ ଏହା ପ୍ରାୟ ୪ ଦିନ ପର୍ଯ୍ୟନ୍ତ ବାତ୍ୟା ଓ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ସାଧାରଣରେ ପ୍ରକାଶ କଲେନାହିଁ, ଯାହା ସରକାରୀ ଆଇନର ବିରୁଦ୍ଧାଚରଣ କରୁଛି ।ଗଣମାଧ୍ୟମ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସରକାରୀ ସଂସ୍ଥାଗୁଡିକ ରିଲିଫ ପରିଚାଳନା ଏବଂ ବିପର୍ଯ୍ୟୟ ପରବର୍ତୀ ସମୟରେ ତୁରନ୍ତ ପୁନର୍ଗଠନ କାର୍ଯ୍ୟ ହାତକୁ ନେବାରେ ଶୋଚନୀୟ ଭାବେ ବିଫଳ ହୋଇଛନ୍ତି । ବିପର୍ଯ୍ୟୟର ଦୁଇଦିନ ପରେ ଉଦ୍ଧାରକାରୀ ଦଳ ଗଜପତି ଜିଲାର ବାରଘର ଗ୍ରାମରେ ପହଂଚିଥିଲେ ।ଶ୍ରୀ ସିଂ କହିଛନ୍ତି, ଡାହା ମିଛ କହିବା ଏବଂ ଚାଲାକି ଘୋଷଣା କରିବାରେ ନବୀନ ବାବୁ ଓସ୍ତାଦ୍ । ବାରଘର ଗ୍ରାମରେ ୧୮ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ରାଜ୍ୟ ସରକାର ଉକ୍ତ ଗ୍ରାମ ଦୁର୍ଗମ ଅଂଚଳରେ ଅବସ୍ଥିତ ଥିବା ଏବଂ ସେଠାକୁ ଗମନାଗମନ ସୁବିଧା ନଥାଇ ଦର୍ଶାଇ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଉଦ୍ୟମ କରୁଛନ୍ତି ।ଏହି ସାମ୍ବାଦିକ ସମିଳନୀରେ ବିରୋଧିଦଳ ନେତା ନରସିଂହ ମିଶ୍ର, ଏଆଇସିସି ଯୁଗ୍ମ ସଂପାଦକ ଅନିଲ୍ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।