ତିତଲି ବାତ୍ୟାରେ ଆନ୍ଧ୍ରର କ୍ଷତି ୨ହଜାର ୮ଶହ କୋଟି ଆକଳନ:ପ୍ରାଥମିକ ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ମାଗିଲେ ୧୨ଶହକୋଟି

ବିଶାଖାପାଟଣା (ପ୍ରତାପ ପାଢି) ଭୟଙ୍କର ତିତଲି ବାତ୍ୟା ଗୁରୁବାର ସକାଳେ ପଲାସା ନିକଟସ୍ଥ ଆକ୍କୁପାଲ୍ଲୀ ଗ୍ରାମର ସ୍ଥଳ ଭାଗରେ ମାଡ଼ କରିଥିଲା । ଫଳରେ ଏହାର ପ୍ରଭାବରେ ବିଜୟନଗରମ ଓ  ଶ୍ରୀକାକୁଲମ ଜିଲ୍ଲାର ଚାରିହଜାର ଗ୍ରାମର ଫସଲ ନଷ୍ଟ ହୋଇଥିବାବେଳେ ବହୁତ ବଡ଼ବଡ଼ ଗଛ ଉପୁଡି ଯାଇଛି, ବିଦ୍ୟୁତ ପୋଲ ଉପୁଡିଯାଇଛି, ଗରିବ ଲୋକଙ୍କର ଚାଳ ଛପର ଉଡିଯାଇଛି, ୮ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ସବୁ ଆକଳନ କଲେ ପ୍ରାଥମିକ ଭାବେ ୨ହଜାର ୮ଶହ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସରକାରୀ ଭାବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ କେନ୍ଦ୍ର କୁ ରିପୋର୍ଟ ପଠାଇଛନ୍ତି । ତତକ୍ଷଣାତ ବାରଶହ କୋଟି ଟଙ୍କା ମଂଜୁର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସେ ନିଜେ ତିନିଦିନ ହେଲା ପଲାସା ଓ ଶ୍ରୀକାକୁଲମରେ ରହି ହେଲିକ୍ୟାପ୍ଟରରେ ବିପନ୍ନ ଅଞ୍ଚଳ ବୁଲି ରିଲିଫ ବଣ୍ଟନର ତଦାରଖ କରୁଛନ୍ତି । ଦୁଇ ଜିଲ୍ଲାର ଜିଲ୍ଲାପାଳ ଶ୍ରୀକାକୁଲମ କେ ଧନଞ୍ଜୟ ରେଡିଙ୍କ ସମେତ ଶହେ ଆଇଏସ ଅଫିସରକୁ  ବନ୍ୟା ବିପନ୍ନଙ୍କୁ ଠିକ ଭାଇବି ରିଲିଫ ବଣ୍ଟନର ତଦାରଖ ଓ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରିଛନ୍ତି । ପ୍ରତିଦିନ ନିଜେ ମୁଖ୍ୟମନ୍ତ୍ରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ସେ ଶୁକ୍ରବାର ଠାରୁ ରବିବାର ତିନିଦିନ ଏଠାରେ ରହିବେ ।ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ବର୍ତ୍ତମାନ ରିଲିଫ ବାବଦରେ ବିପନ୍ନ ଅଂଚଳର ପ୍ରତ୍ୟେକ ପରିବାରକୁ ଡାଲି, ଚାଉଳ, ତେଲ, ଆଳୁ, ପିଆଜ ଆଦି ପନିପରିବା ସହ ଅନ୍ୟାନ୍ୟ ଆବଶକୀୟ ସରଞ୍ଜାମ ମଧ୍ୟ ଯଥେଷ୍ଟ ପରିମାଣରେ ଯୋଗାଇ ଦିଆଯାଉଛି । ଆଗାମୀ ତିନିମାସ ଯାଏଁ ଯେପରି ବିପନ୍ନ ପରିବାରମାନେ ସୁସ୍ଥରେ ଚଳି ପାରିବେ ସେହିବ୍ୟବସ୍ତା କରିଛନ୍ତି । ବିଦ୍ୟୁତ ସରବରାହ ସଜଡା ଯାଇସାରିଲାଣି । ଅନ୍ୟାନ୍ୟ କ୍ଷତିଗ୍ରସ୍ତ ପୁନଃଉଦ୍ଧାର ଚାଲିଛି । ମୁଖ୍ୟମନ୍ତ୍ରୀ ତିନିଦିନ ହେଲା ନିଜେ ରହି ରିଲିଫ ବଣ୍ଟନର ନିୟନ୍ତ୍ରଣ ଓ ସମୀକ୍ଷା କରୁଥିବାରୁ ସୁଚାରୁ ରୂପେ କାର୍ଯ୍ୟ ଚାଲିଛି ।