ତିତ୍‌ଲି କ୍ଷୟକ୍ଷତି ଆକଳନ ଲାଗି ଗଞ୍ଜାମ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍‌ ଲୋକଙ୍କୁ ଭେଟିଲେ…

ଛତ୍ରପୁର(ସମୃଦ୍ଧ ଓଡିଶା)ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ କ୍ଷୟକ୍ଷତି ଆକଳନନେଇ ଏକ ସାତଜଣିଆ କେନ୍ଦ୍ରୀୟଟିମ୍‌ ଗତକାଲି ଗଞ୍ଜାମ ଜିଲ୍ଲାରେ ପହଞ୍ଚି ଜିଲ୍ଲାପାଳଙ୍କ କକ୍ଷରେ ଏକ ଆଲୋଚନା ବୈଠକ କରିଥିଲେ । ଏହାପରେ ଏହି ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କୁ ଭେଟିଥିଲେ । ଶେଷରେ ଜିଲ୍ଲାପାଳ ସହ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରାଣାଳୟର ଯୁଗ୍ମ ସଚିବ ଏସ୍‌କେ ଶାହୀଙ୍କ ନେତୃତ୍ୱରେ ଆସିଥିବା ଏହି ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ଉପସ୍ଥିତିରେ ଜଳ ସଂପଦ ମନ୍ତ୍ରାଣାଳୟ ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, ରାସ୍ତା, ପରିବହନ ଓ ରାଜପଥ ମନ୍ତ୍ରାଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ରାକେଶ କୁମାର ଏବଂ ବ୍ୟୟବିଭାଗ ସହକାରୀ ନିର୍ଦ୍ଦେଶକ ଆରବି କାଉଲଙ୍କୁ ନେଇ ୪ଜଣିଆ ଟିମ୍‌ ପାତ୍ରପୁରର କ୍ଷତିଗ୍ରସ୍ତ ବୁରାତାଲ ଓ ତୁମ୍ବା ପଞ୍ଚାୟତର କୁଜିଲିଙ୍ଗିକୁ ଯାଇ ଲୋକଙ୍କ ସହ କଥା ହୋଇଥିଲେ । ବ୍ଳକ ଓ ଜିଲ୍ଳା ପ୍ରଶାସନଙ୍କ ନେଇ ତୁମ୍ବା ଟିଡ଼ିଏ ଠାରେ ଏକ ବୈଠକ କରିଥିଲେ । ପରେ ପାହାଡ଼ ଉପରୁ ଡ଼କା ଯାଇଥିବା କିଛି ଆଦିବାସୀଙ୍କୁ ନେଇ ବୁରାତାଲଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ କେନ୍ଦ୍ରୀୟ ଟିମ ଆଦିବାସୀଙ୍କୁ ବିଭିନ୍ନ ସହାୟତା ଉପରେ ପଚାରିଥିଲେ । ଟିମ ସହ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡ଼ି ସିଦ୍ଧାର୍ଥ ଶେଖର ସ୍ୱାଇଁ, ଉପଜିଲ୍ଳାପାଳ ଦିଗନ୍ତ କୁମାର ରାଉତରାୟ, ଭାରପ୍ରାପ୍ତ ବିଡ଼ିଓ ଏସ୍‌.ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ଉପସ୍ଥିତିରେ ପାଟନାର ଡିଆରଡି ନିର୍ଦ୍ଦେଶକ ଭିରେନ୍ଦ୍ର ସିଂ,ଶକ୍ତି ମନ୍ତ୍ରାଣାଳୟ ସିଇଓ ମୁଖ୍ୟଯନ୍ତ୍ରୀ ବନ୍ଦନା ସିଂଘଲ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣାଳୟ ଅଧିନସ୍ଥ ସଚିବ ଗୁଜାରୀ ଲାଲ୍‌ଙ୍କୁ ନେଇ ଗଠିତ ଏକ ୩ଜଣିଆଟିମ୍‌ ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିବା ସହ ଲୋକଙ୍କ ସହିତ ମିଶି ବିଭିନ୍ନ କ୍ଷୟକ୍ଷତି ଉପରେ ଆଲୋଚନା କରିଥିଲେ । ଆସିକା ସହର ସମେତ ଋଷିକୂଲ୍ୟା ଓ ବଡ଼ନଦୀକୁ ଲାଗି ରହିଥିବା ଗ୍ରାମ କେ.ନୂଆପଲ୍ଲୀ, ମଙ୍ଗଳପୁର, ଗଙ୍ଗାପୁର ପ୍ରଭୃତି ଗ୍ରାମ ପରିଦର୍ଶନ କରିଥିଲେ ଏହି କେନ୍ଦ୍ରୀୟ ଟିମ୍‌ । ଚିନିଶିଳ୍ପ ଅତିଥି ଭବନ ଠାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରିଥିଲେ । ବନ୍ୟା ବାତ୍ୟାରେ କୃଷି ବିଭାଗର ମୋଟ ୧୩, ୩୮୪ ହେକଫର ଚାଷଜମିରେ ଧାନଫସଲ ଓ ଅଣଧାନ ଫସଲ କ୍ଷତି ହୋଇଥିବା ବେଳେ ଆସିକା ସମବାୟ ଚିନିଶିଳ୍ପର ୧୫କୋଟି ଉତ୍କଳ ଆର୍ୟୁବେଦ ଫାର୍ମାସିର ଦେଢ଼କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୭କୋଟି, ସାଉଥ୍‌କୋର ୧.୩୮ଲକ୍ଷ, ପୂର୍ତ୍ତ ବିଭାଗର ୫କୋଟି, ଆସିକା ବ୍ଲକ ଅଧିନସ୍ଥ ୨୭ଟି ଗ୍ରାମପଞ୍ଚାୟତର ରାସ୍ତାଘାଟ, ଅଙ୍ଗନୱାଡ଼ି, ପ୍ରାଥମିକ ବିଦ୍ୟାଳୟରେ ୧୩କୋଟି ଓ ଆସିକା ତହସିଲରେ ୯୬୭ ଘର ଭାଙ୍ଗି ଯାଇଥିବା ରିପୋର୍ଟ ସ୍ଥାନୀୟ ଅଧିକାରୀ ମାନେ କେନ୍ଦ୍ରୀୟ ଟିମ୍‌କୁ ଜଣାଇଥିଲେ । ଚିନିଶିଳ୍ପ ଏମ୍‌ଡ଼ି ଲକ୍ଷ୍ମୀକାନ୍ତ ବେହେରା, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ସୁବାଷଚନ୍ଦ୍ର ସେଠିଆ, ସାଉଥ୍‌କୋ ନିର୍ବାହୀଯନ୍ତ୍ରୀ ରୋହିତ ସେଠୀ, ଆସିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ଦାସ, ପୂର୍ତ୍ତବିଭାଗର ସହକାରୀଯନ୍ତ୍ରୀ ସତୀଶ୍‌ ବିଶ୍ୱାଳଙ୍କ ସମେତ ଗ୍ରାମ୍ୟ ଉନ୍ନୟନ, ଜଳପରିମଳ ଓ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୁବାଷଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ମଧ୍ୟରେ କେନ୍ଦ୍ରୀୟ ଟିମ୍‌ ଏହି ଗସ୍ତ କରିଥିବା ବେଳେ କ୍ଷତିଗ୍ରସ୍ତ ବହୁ ଅଞ୍ଚଳ ଅନୁଧ୍ୟାନ ନକରି ଫେରି ଯାଇଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କେନ୍ଦ୍ରୀୟ ଟିମର ସଦସ୍ୟ ବିରେନ୍ଦ୍ର ସିଂ କହିଛନ୍ତି ରାଜ୍ୟ ସରକାରଙ୍କ ପ୍ରଦତ୍ତ ରିପୋର୍ଟକୁ ଭିତ୍ତି କରି ସେମାନେ ଅନୁଧ୍ୟାନ କରୁଥିବା ଓ ପରିଦର୍ଶନ ରିପୋର୍ଟ ଅତି ଶୀଘ୍ର ସେମାନେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ । ତେବେ ବନ୍ୟାବାତ୍ୟାର ୧୮ଦିନ ପରେ କେନ୍ଦ୍ରୀୟ ଟିମ୍‌ କି କ୍ଷୟକ୍ଷତି ଆକଳନ କରିବେ ବୋଲି ବହୁ ଗ୍ରାମବାସୀ କୋହଭରା କଣ୍ଠରେ ପ୍ରଶ୍ନ କରିଥିଲେ । ଜିଲ୍ଲାର ଉପରୋକ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ଦୁଇଟି ଯାକଟିମ୍‌ ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ସନ୍ଧ୍ୟା ୬:୪୫ରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ବିଭିନ୍ନ କ୍ଷୟକ୍ଷତି ଏବଂ ଜିରୋ କାଜୁଆଲ୍‌ଟି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ଡିର୍ପାଟମେଣ୍ଟର ବ୍ଲକ ୱାଇଜ୍‌ କ୍ଷୟକ୍ଷତି ମାଗିଥିଲେ । ବୈଠକରେ ଏସକେ ଶାହୀଙ୍କ ସମେତ ୭ଜଣିଆ ପ୍ରତିନିଧି ଉପସ୍ଥିତ ରହି ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ପିଡି ଡିଆରଡିଏ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମସି କମିସନ ଚକ୍ରବର୍ତ୍ତୀ ସିଂ ରାଠୋର, ଆଇଏଏସ ଅଫିସର ପି.ଅନେ୍ୱଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ବିଜୟକୁମାର ଦାସ, ଏପିଡି ପ୍ରିୟ ରଂଜନ ପୃଷ୍ଟି, ଡୁଡା ପିଡି ସବ୍ୟସାଚୀ ହୋତା, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତ, ଜିଲ୍ଲାଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞାପରମିତା ଥାଟେଇଙ୍କ ସମେତ ଜିଲ୍ଲା ସମସ୍ତ ବିଡିଓ, ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀ ସମସ୍ତ ଅଧିକାରୀ ଏବଂ ଲାଇନଡିପାଟମେଟ୍‌ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା