ଭୁବନେଶ୍ୱର ( ଆକାଶ ମିଶ୍ର ) : ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଏହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି । ତୈଳ ଦର ବୃଦ୍ଧି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି । ଏଭଳି ସ୍ଥିତିରେ ତୈଳ ଦର ହ୍ରାସ କରିବା ପରିବର୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅସହାୟତା ପ୍ରକାଶ କରିବା ଏବଂ ତୈଳ ଦର ବୃଦ୍ଧିର କାରଣ ସଂପର୍କରେ ତର୍ଜମା କରିବା ସାଧାରଣ ଜନତାଙ୍କ କଟା ଘା’ରେ ଚୂନ ଦେଲାଭଳି ହେଉଛି । ଦେଶବାସୀ ଭାରତୀୟ ଜନତା ପାର୍ଟିକୁ ‘ଅଚ୍ଛେଦିନ’ ପାଇଁ କ୍ଷମତାକୁ ଆଣିଥିଲେ । ସେହି ଅଚ୍ଛେଦିନର ଫଳ ବର୍ତମାନ ଦେଶବାସୀ ଭୋଗୁଛନ୍ତି । ତୈଳ ଦର କେମିତି କମିବ, ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏଥିପାଇଁ ଆମେରିକା ଏବଂ କାହାକୁ କାହାକୁ ଦୋଷ ଦେଇ ଖସି ହେବନାହିଁ । ଜନତା ଦରବାରରେ ସେମାନଙ୍କୁ ଜବାବ ଦେବାକୁ ପଡିବ । ଶାସନକୁ ଆସିବା ପୂର୍ବରୁ ତୈଳ ଦର ବୃଦ୍ଧିକୁ ନେଇ ବିଜେପି ନେତାଏ ଦେଶ ବ୍ୟାପୀ ତୁମ୍ବିତୋଫାନ କରୁଥିଲେ । କିନ୍ତୁ ବର୍ତମାନ ତାଙ୍କ ସମୟରେ ଯେଉଁ ଅହେତୁକ ତୈଳ ଦର ବୃଦ୍ଧି ପାଉଛି, ସେଥିପାଇଁ ସେମାନେ ନିଜକୁ ଦାୟୀ କରିବା ଉଚିତ । ତା’ଛଡ଼ା ତୈଳ ଦର ବୃଦ୍ଧିରେ କେନ୍ଦ୍ର ସରକାରଙ୍କର ହାତ ଥିବା ସ୍ପଷ୍ଟ ହୋଇଛି । ବିଗତ ୩ବର୍ଷ ଧରି କ୍ରମାଗତ ଭାବରେ ପେଟ୍ରୋଲ-ଡିଜେଲ ଉପରେ ଉପଦନ ଶୁଳ୍କ କେନ୍ଦ୍ର ସରକାର ବଢ଼ାଇ ଚାଲିଥିଲେ । ବର୍ଦ୍ଧିତ ଉପଦନ ଶୁଳ୍କ ତୈଳ ଦରକୁ ପ୍ରଭାବିତ କରିଛି । ବର୍ତମାନ ଜନଅସନ୍ତୋଷକୁ ରୋକିବା ପାଇଁ କେନ୍ଦ୍ର ବିଜେପି ସରକାର ଅଯଥାରେ ରାଜ୍ୟ ସରକାରମାନଙ୍କୁ ଦୋଷ ଦେଉଛନ୍ତି । ଏହା ସଂପୂର୍ଣ୍ଣ ଅବାନ୍ତର ଏବଂ ଏଭଳି ବିତଣ୍ଡା ଯୁକ୍ତିକୁ ସାଧାରଣ ଲୋକେ ଗ୍ରହଣ କରୁନାହାନ୍ତି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପଚରାଗଲେ, ସେ ଯେଭଳି ରକ୍ଷଣାତ୍ମକ ଭଙ୍ଗୀରେ ଉତ୍ତର ଦେଉଛନ୍ତି, ସେଥିରୁ ତାଙ୍କର ଅପାରଗତା ଓ ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି । ଆସନ୍ତା ୨୦୧୯ ନିର୍ବାଚନରେ ଜନସାଧାରଣଙ୍କ ଅସନ୍ତୋଷ ଆହୁରି ତୀବ୍ର ହେବ ଏବଂ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ନିଆଁରେ ଏ ସରକାର ଜଳି ପୋଡ଼ି ଛାରଖାର ହୋଇଯିବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।