ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଳନ୍ତରା ଥାନା ପରିସରରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସନ୍ତୋଷ ସାମନ୍ତରାୟ ଓରଫ କାଳିଆ ଗୋଳାନ୍ଥରା ଥାନା ପରିସରରେ ଗତକାଲି ନିଜ ଶରୀରରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଥାନା ପରିସରରେ ନିଆଁ ଲାଗିବା ପରେ ଥାନା ମଧ୍ୟକୁ ସେ ପଶି ଯାଇଥିଲେ । ତୁରନ୍ତ ପୋଲିସ ତାଙ୍କୁ ଥାନା ମଧ୍ୟରୁ ନିଆଁ ଲାଗିଥିବା ଅବସ୍ଥାରେ ଅତି ସତର୍କତାର ସହ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ । କାଳିଆଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟରାତ୍ରରେ ଭୁବନେଶ୍ୱର ସୋମ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଆଜି ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ହେଲେ କାଳିଆ କଣ ପାଇଁ ଥାନାକୁ ଯାଇଥିଲେ, ତାଙ୍କର ଅଭିଯୋଗ କଣ ଥିଲା ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି । କାଳିଆ କୌଣସି ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିବାକୁ ଯାଇଥିଲେ ବୋଲି ସୂଚନା ମିଳୁଛି । ତେବେ ସେ ଲିଖିତ ଭାବେ ଅଭିଯୋଗ ନ କରି ମୌଖିକ ଅଭିଯୋଗ କରିଥିଲେ ବୋଲି କୁହାଯାଉଛି । ସେ ଲିଖିତ ଅଭିଯୋଗ କଣ ପାଇଁ କରୁନଥିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । କାଳିଆଙ୍କୁ ବ୍ୟବସାୟ ନା ଟଙ୍କା ନେବା ଦେବା କାରଵାରକୁ ନେଇ ଧମକ ମିଳୁଥିଲା ତାହା ଏବେ ତଦନ୍ତ ସାପେକ୍ଷ । କାଳିଆ କଣ ବ୍ୟବସାୟ କରୁଥିଲେ, ତାଙ୍କୁ କାହିଁକି କେହି ଧମକ ଦେଉଥିଲା ଏବଂ ତାଙ୍କର କେଉଁ ଲୋକଙ୍କ ସହ ଶତ୍ରୁତା ଥିଲା ତାହାକୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିବ । କାଳିଆ ଥାନା ମଧ୍ୟକୁ ଯିବା ପୁର୍ବରୁ ଯୋଜନାବଦ୍ଧ ଭାବେ କିରାସିନି ନେଇଥିଲେ ନା ଥାନା ବାହାରେ ତାଙ୍କର କେହି ବନ୍ଧୁ କିରାସିନି ଧରି ଅପେକ୍ଷା କରିଥିଲେ ଏହା ଏବେ ପୋଲିସର ତଦନ୍ତ କାମ । ଥାନାରେ ମୌଖିକ ଅଭିଯୋଗ ପରେ ପରେ ତୁରନ୍ତ ଥାନା ବାହାରକୁ ଆସି ସେ ନିଆଁ ଲଗାଇ ପୁଣି ଥାନା ମଧ୍ୟକୁ ପ୍ରବେଶ କରିବା ସହଜରେ ଗ୍ରହଣୀୟ ନୁହେଁ । ତେଣୁ ଏହା ଭିତରେ ଆଉ କିଛି ଲୁକ୍କାୟିତ ଘଟଣା ମଧ୍ୟ ଥାଇପାରେ । ଏହାକୁ ନେଇ ଆଜିଠାରୁ ପୋଲିସ ତଦନ୍ତ ଆରମ୍ଭ କରିବ । ତେବେ କାଳିଆ କିଛି ଦିନ ହେଲା ବାହାର ରାଜ୍ୟରେ ଥିଲେ ପୁଣି ସେଠାକୁ ଯିବା ପାଇଁ ଟିକେଟ କରି ସାରିଥିଲେ । ଏହି କିଛିଦିନ ମଧ୍ୟରେ ତାଙ୍କୁ କାହିଁକି କିଏ ଧମକ ଦେଉଥିଲେ ତାହା ବ୍ୟକ୍ତିଗତ ଶତ୍ରୁତା ନା ବ୍ୟବସାୟିକ ଶତ୍ରୁତା ନା ଟଙ୍କା କାରବାର ତାହା ଏବେ ପୋଲିସ ଖୋଜିବା ଆରମ୍ଭ କରି ଦେଇଛି । କାଳିଆ ଥାନା ମଧ୍ୟକୁ ଯାଇ ପୋଲିସକୁ ଭୟଭୀତ କରିବା ପାଇଁ କିରାସିନି ଢାଳିଵା ଉଦ୍ୟମ କରିବା ବେଳେ ଏହି ଅଘଟଣ ଘଟିଲା ନା ପୁର୍ବ ଯୋଜନା ମୁତାବକ ସେ ଥାନାକୁ ଆସିଥିଲେ ତାହା ପଦସ୍ଥ ଅଧିକାରୀ ମାନଙ୍କ ତଦନ୍ତରେ ଜଣା ପଡିବ । ବର୍ତ୍ତମାନ ଏ ନେଇ ଏକ ମାମଲା ଗୋଳନ୍ଥରା ଥାନାରେ ହେବ ଏହାପରେ ତଦନ୍ତ ଆରମ୍ଭ ହୋଇ ପ୍ରକୃତ ସତ୍ୟତା ଜଣାପଡିବ ବୋଲି କୁହାଯାଉଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା