ଦଲାଲଗିରି ଉଚ୍ଛେଦ ଦାବୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ଗଣ ଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକ କାର୍ଡ ଓ ପଞ୍ଜିକୃତ ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ କିଛି ଦଲାଲ ସକ୍ରିୟ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ପାଥେୟ କରି ଦୈନିକ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଶ୍ରମିକ କାର୍ଯ୍ୟାଳୟ ଆଗରେ ଏଥିପାଇଁ ଧାରଣା ମଧ୍ୟ ବାରମ୍ବାର ଦିଆ ଯାଉଛି । ଏସବୁ କାର୍ଯ୍ୟରେ କେତେକ ୟୁନିୟନର ନେତୃବର୍ଗ ସାମିଲ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ ଦୁର୍ବ୍ୟବହାର କରୁଥିବା ଓ ଶ୍ରମିକମାରଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ଶିବସେନା ଶ୍ରମିକ ସଂଘ ଓ ଗଂଜାମ ଜିଲ୍ଲା ହରିଜନ କଲ୍ୟାଣ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସହ ଏକ ପ୍ରତିନିଧି ଦଳ ମିଶି ଏ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏକ୍ଷେତ୍ରରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା