ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ପୋଲିସ ପଦ୍ମନାଭପୁର ଗ୍ରାମର ଜଣାଶୁଣା ଅପରାଧୀ ଏସ. ରାଜୀବ ରେଡ୍ଡୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏନେଇ ଥାନା ମାମଲା ନଂ ୨୦୯/୧୯ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସର ସୂଚନାପ୍ରକାରେ ଗତ ଶନିବାର ରାତି ପ୍ରାୟ ୯ ଟାରେ ପଦ୍ମନାଭପୁର ଗ୍ରାମରେ ରାସନ ଦୋକାନ କରିଥିବା ବ୍ୟବସାୟୀ ଇ. ଆଶିଷ କୁମାର ଓ ତାଙ୍କ ବାପା ଇ. ଶିବରାମଙ୍କୁ ଅଭିଯୁକ୍ତ ରାଜୀବ ପ୍ରତି ମାସରେ ୫ ହଜାର ଦାଦା ମାମୁଲି ଦେବ ନହେଲେ ତୁମ ରାସନ ଦୋକାନ ଓ ଗୋଦାମକୁ ପୋଡିଦେବି କହିଥିଲେ । ଏହାକୁ ପ୍ରତିବାଦ କରିବାରୁ ଉଭୟ ବାପ ପୁଅଙ୍କ ଗାଲକୁ ରାଜୀବ ଆକ୍ରମଣ କରିଥିଲେ । ପରେ ଛୁରୀରେ ଆଶିଷଙ୍କ ପେଟକୁ ଭୂଷି ଦେବାକୁ ଉଦ୍ୟମ କରିବା ବେଳେ ସେ ଛୁରୀକୁ ଧରି ଦେବାରୁ ତାଙ୍କ ଡ଼ାହାଣ ହାତ ପାପୁଲିରେ ଆଘାତ ଲାଗିଥିଲା । ପାଖରେ ଠିଆ ହୋଇ ଥିବା ବାପା ଶିବରାମ ଛଡ଼ାଇବାକୁ ଯିବାରୁ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଧରିଥିବା ବିଦେଶୀ ମଦ ବୋତଲରୁ ମଦ ଆଶିଷଙ୍କ ମୁହଁକୁ ଛାଟି ଦିନେ ନାଁ ଦିନେ ଜୀବନରେ ମାରିଦେବାକୁ ଧମକ ଦେଇ ଗାଁ ରୁ ଫେରାର ହୋଇଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତ କିଛି ଦିନ ପୂର୍ବେ ଅଭିଯୁକ୍ତ ରାଜୀବ ବ୍ୟବସାୟୀ ଆଶିଷଙ୍କ ଦୋକାନକୁ ଆସି ମୋତେ ନୂଆଁ ଡ୍ରେସ ଆଉ ୫ ହଜାର ଟଙ୍କା ଦେବୁ ନହେଲେ ତୁ କେମିତି ଦୋକାନ ଓ ଗୋଦାମ ଖୋଲିବୁ ଦେଖିବି କହି ଧମକ ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ନାଁ ରେ ଅନେକ ଅପରାଧିକ ମାମଲା ଦିଗପହଣ୍ଡି ଓ ବ୍ରହ୍ମପୁର କୋର୍ଟରେ ବିଚାରାଧୀନ ଥିବା ଜଣାପଡିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା