ଦାବୀ ପୂରଣ ନ ହେଲେ ୨୬ରୁ ଛୁଟିରେ ରହିବେ ଶିକ୍ଷାସେବା ଅଧିକାରୀ:ସଂଘ ସମ୍ପାଦକ ସନାତନ ପଣ୍ଡା

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ଓଡିଶା ଶିକ୍ଷା ସେବା ସଂଘର ନିଷ୍ପତି କ୍ରମେ ବିଭିନ୍ନ ଦାବିନେଇ ଆଜି ସମସ୍ତ  ଜିଲ୍ଲାରେ ଶାଖା ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ପ୍ରେରଣ କରାଯାଇଛି । ୧୯୭୧ ମସିହାରୁ ଓଡିଶା ଶିକ୍ଷା ସେବା ବିଦ୍ୟାଳୟ ଶାଖା ପାଇଁ ଲୋକସଭା ଆୟୋଗ ଦ୍ୱାରା ଓଡିଶା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଅଦ୍ୟାବଧୀ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କ ପାଇଁ ଏକ କ୍ୟାଡେର ରୁଲ୍ ପ୍ରଣୟନ କରି ନାହାନ୍ତି । ଫଳରେ ଓଡିଶା ଶିକ୍ଷା ସେବା ଅଧିକାରୀମାନେ ଉପଯୁକ୍ତ ପ୍ରମୋଶନ ଓ ବୃତିଗତ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । କ୍ୟାଡେର ରୁଲ୍ ଗଠନ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ ନିମନ୍ତେ ରାଜ୍ୟ ସଂଗର ନିଷ୍ପତି ପ୍ରକାରେ ସମସ୍ଥ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଆଜି  ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଛତ୍ରପୁରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଓ ଡିପିସି ତଥା ଜିଲ୍ଲା ସଂପାଦକ ବିନିତା ସେନାପତି । ଦାବୀ ପୂରଣ ନହେଲେ ଆସନ୍ତା ୨୬ ତାରିଖରୁ ରାଜ୍ୟର ସମସ୍ଥ ଶିକ୍ଷା ଅଧିକାରୀ ସମୂହ ଛୁଟିରେ ରହିବେ  ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା