ଜଳେଶ୍ୱର (ସମୃଦ୍ଧ ଓଡିଶା) ଗରିବଙ୍କ ଲାଗି ହେଉଛି ସରକାରୀ ଯୋଜନା । କିନ୍ତୁ ବହୁ ବ୍ୟକ୍ତିଙ୍କୁ ଏପରି ଯୋଜନାରେ ସାମିଲ କରାଯାଉନାହିଁ । ବ୍ୟକ୍ତି ଜଣକ ସ୍ଥାନୀୟ ଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ । ତାଙ୍କୁ ମିଳିପାରୁନାହିଁ ଆବଶ୍ୟକ ସରକାରୀ ସୁବିଧା ସୁଯୋଗ । ବାଲେଶ୍ୱର ଜିଲାର ପାଇକସୀଦା ପଂଚାୟତର କେଶପୁର ଗାଁରେ ବାସନ୍ତୀ ଭୋଳ ୬ ପ୍ରାଣି କୁଟୁମ୍ବକୁ ଧରି ଏପରି ପଲିଥିନତଳେ ବାସ କରିଆସୁଥିଲେ ହେଁ ତାଙ୍କୁ ଆବାସ ଯୋଜନାରେ ଗୃହ ଅଦ୍ୟାବଧି ମିଳିପାରି ନାହିଁ । ଜଳେଶ୍ୱର ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀକୂଳ କେଶପୁରା ଗାଁର ଶ୍ରୀହରୀ ଦାସଙ୍କର ଏକମାତ୍ର ଝିଅ ବାସନ୍ତୀକୁ ଉଦୟ ଭୋଳଙ୍କ ସହିତ ବିବାହ କରାଇ ଘର ଜ୍ୱାଇଁ କରି ରଖିଛନ୍ତି । ବାସନ୍ତୀ ନାମରେ ଶ୍ରୀହରୀ ମଧ୍ୟ ଘରଡିହ କବଲା କରିଛନ୍ତି । ଏବେ ବାସନ୍ତୀଙ୍କର ୬ ପରିବାର ସେହି ବାପାଙ୍କ ଦାନ ସ୍ଥାନରେ ରହି ଆସୁଛନ୍ତି । ବାସନ୍ତୀଙ୍କୁ ମଧ୍ୟ ଭୋଟ ପରିଚୟ ପତ୍ର, ଆଧାରକାର୍ଡ ଓ ରେସନ୍କାର୍ଡ ମଧ୍ୟ ମିଳିଛି । ସ୍ୱାମୀ ଅସୁସ୍ଥ ରହୁଥିବାରୁ ନିଜେ ଅନ୍ୟଘରେ କାମ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ମୁଣ୍ଡଗୁଂଜିବାକୁ ଭଲ ଘରଟିଏ ନ ଥିବାରୁ ନିଜ ଭଂଗାଘରେ ପଲିଥିନ ପକାଇ ରହିଆସୁଛନ୍ତି । କିନ୍ତୁ ଏହି ଆବସ ଯୋଜନାରେ ଘରଟିଏ ପାଇଁ ସେ ବାରମ୍ବାର ସରପଂଚ, ପିଇଓ, ବିଡିଓଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି । ମିଳିପାରିନି ଏକ ଆବାସ ଯୋଜନା । ଏହି ଯୋଜନାରେ ସରକାରୀ ଘରଟିଏ ପାଇଁ ଗାଁ ଦଲାଲ ୨୦ହଜାର ଟଙ୍କା ମାଗୁଛନ୍ତି । ଏପରିକି ଜିଲାପାଳଙ୍କ ଜନଶୁଣାଣୀ ତାରିଖ ସେ ଜାଣି ପାରୁନଥିବାରୁ ସାକ୍ଷାତ ମଧ୍ୟ କରିପାରିନାହାନ୍ତି । କିନ୍ତୁ ୨ ଦିନ ତଳେ ତାଙ୍କର ଦାରିଦ୍ରତା ସଂପର୍କରେ ଜିଲାପାଳଙ୍କୁ ଲେଖିବା ସହିତ ଏକ ଆବସ ଯୋଜନାରେ ଘର ଯୋଗାଇବାକୁ ନିବେଦନ କରିଛନ୍ତି ।