ଭୁବନେଶ୍ଵର(ସମୃଦ୍ଧଓଡିଶା) ଓଡ଼ିଶା ଇତିହାସରେ ପ୍ରଥମ କରି ଆସନ୍ତା ୮ତାରିଖରୁ ତିନିଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତ ଦିବସ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଓଡ଼ିଶାର ପର୍ଯ୍ୟଟନ ବିଭାଗ ତରଫରୁ କୃଷି ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟଟକ ଗାଇଡ, ସୁପରଭାଇଜର ଓ ସଂଯୋଜକ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସହ “ଅତିଥି ଦେବୋ ଭବ” ମନ୍ତ୍ରରେ ମୁଗ୍ଧ ହୋଇ କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲେ । ଏବେ ଓଡ଼ିଶାର ପର୍ଯ୍ୟଟନ ରହସ୍ୟକୁ ଉନ୍ମୋଚନ କରିବାର ସମୟ ଆସିଛି ବୋଲି ଉଦବୋଧନ ଦେଇ ସେ କହିଲେ ଯେ ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇବା ପାଇଁ ଏହି ୩ ଦିନିଆପ୍ରବାସୀ ଭାରତ ଦିବସ ଆମ ପାଇଁ ଏକ ଶ୍ରେଷ୍ଠ ସୁଯୋଗ । ଏହି ତିନି ଦିନ ପାଇଁ ପର୍ଯ୍ୟଟକ ଗାଇଡମାନେ ହେବେ ଆମ ଓଡ଼ିଶାର ଆମ୍ବାସଡର । ଆପଣମାନଙ୍କ ବ୍ୟବହାର, ଚାଲିଚଳନରେ ସମଗ୍ର ଓଡ଼ିଶାର ପରିଚୟ ଓ ସ୍ଵାଭିମାନ ପ୍ରତିଫଳିତ ହେବ ବୋଲି କହି ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରୋତ୍ସାହନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହା ସହ ୨୭୦ ସଂଯୋଜକ, ୧୦୦ ଟୁର ଗାଇଡ, ୩୦ ଟିମ ଲିଡରସ୍, ୨୮ ଗନ୍ତବ୍ୟ ସଂଯୋଜକ, ୨୦ ସୁପରଭାଇଜର,୧୫ ସ୍ଵଚ୍ଛତା ସୁପରଭାଇଜର, ସବୁ ଜିଲ୍ଲା, ଓଟିଡ଼ିସି ଓ ପର୍ଯ୍ୟଟନ ବିଭାଗରୁ ୫୦ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ତନୁଜା ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ