

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡିରେ ଖେମୁଣ୍ଡି ମହୋତ୍ସବ ଗତ ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ବଡ଼ ଖେମୁଣ୍ଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ କରାଯାଇଛି । ଏହି ଉତ୍ସବ ୫ ଦିନ ଧରି ତଥା ଆସନ୍ତା ୨୫ ତାରିଖ ଶନିବାର ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ମଞ୍ଚାସିନ ରହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉଦବୋଧନ ଦେଇ କହିଥିଲେ ଯେ ଦିଗପହଣ୍ଡିରେ ପ୍ରଥମ ଥର ଏଭଳି ଏକ ଉତ୍ସବ ଅନୁଷ୍ଠିତ ହୋଇଛି । ଗଞ୍ଜାମ ମାଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବଙ୍କ ପୁର୍ଣ୍ୟ ମାଟି । ଖେମୁଣ୍ଡି ଅଞ୍ଚଳର କଳା ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ଉତ୍ସବର ଆୟୋଜନ କରିଥିବା ବ୍ୟକ୍ତିମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ମହୋତ୍ସବ କମିଟି ଆବାହକ ତଥା ବିଡ଼ିଓ ହଳଧର ଶବରଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅଭ୍ୟର୍ଥନା ସମିତି ଉପସଭାପତି ତଥା ତହସିଲଦାର ଅଦୈତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ତଥା ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, ପୂର୍ବତନ ଏନଏସି ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ପ୍ରଫୁଲ ପଣ୍ଡା, ଉପାଧ୍ୟକ୍ଷ ପ୍ରଦୀପ୍ତ ପଟ୍ଟନାୟକ, ଏମ. ନିରଞ୍ଜନ ରେଡ୍ଡୀ, ସରପଞ୍ଚ ବି. କ୍ରିଷ୍ଣା ରାଓ, ସୁବୁଦ୍ଧି, ଉମା ମହେଶ୍ୱର ସେଠି, ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ହରପ୍ରସାଦ ରଥଙ୍କ ସମେତ ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା