ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରୟାସରେ ଆଉ ଏକ ଦାଦନ ଶ୍ରମିକ ଜୟ ଦଳେଇଙ୍କ ମରଶରୀର ଆଜି ଭୁବନେଶ୍ୱର ଏଇରପୋର୍ଟରେ ଦିନ ୧.୧୦ ମିନିଟ ସମୟରେ ପହଞ୍ଚିଥିଲା ବୋଲି ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲ୍ଲୀ ଗ୍ରାମପଂଚାୟତର କୈଠଡା ଗ୍ରାମର ଜୟ ଦଳେଇ ରୋଜଗାର କରିବା ପାଇଁ ୧୮ ମାସ ପୂର୍ବରୁ ଦୁବାଇ ଯାଇଥିଲେ । କୌଣସି କାରଣରୁ ସେଠାରେ ଗତ ଶୁକ୍ରବାର ତଥା ୧୬ ଅଗଷ୍ଟରେ ଜୟ ଦଳେଇଙ୍କ ଦେହାନ୍ତ ହୋଇଥିବା ଖବର ପାଖରେ ଥିବା ସମ୍ପର୍କୀୟ ଭାଇ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ଏହି ଖବର ଶୁଣିବା ମାତ୍ରେ ସ୍ତ୍ରୀ ହୀରା ଦଳେଇଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଗୋଟିଏ ବୋଲି ରୋଜଗାରିଆ ପୁଅକୁ ହରାଇ ବାପା ଅଙ୍ଗଦ ଦଳେଇଙ୍କ ଆଖିରୁ ଲୁହ ସୁଖୁନଥିବାବେଳେ ସାନ ପୁଅ ଓ ଦୁଇ ଝିଅ ଘଡ଼ିକ ପରେ ଘଡ଼ିଏ ଅଚେତ ହୋଇ ପଡ଼ିଥିଲେ । ଗାଁରେ ଶୋକର ଛାୟା ଖେଳିଯାଇଛି । ଜୟର ଶବକୁ ନିଜ ଗ୍ରାମକୁ ଆଣିବା ପାଇଁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଶ୍ରମ ଅଧିକାରୀ, ଶ୍ରମମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାସହ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ପରିବାର ଲୋକମାନଙ୍କୁ ଭେଟି ଶାନ୍ତନା ଦେବା ସହ ଜିଲ୍ଲାପାଳଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସହ ଶ୍ରମ ନିରୀକ୍ଷକ କୈଠଡା ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଶୀଘ୍ର ମୃତ ଶରୀରକୁ ଗ୍ରାମକୁ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଖୁବକମ ଦିନ ମଧ୍ୟରେ ମୃତ ଜୟଙ୍କ ମର ଶରୀର ଆସୁଥିବାର ଖବର ମିଳିବା ପରେ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି । ପ୍ରକାଶ ଥାଉ କି ଯେ ଗତ ୧୮ ତାରିଖ ଦିନ ମୃତ ଜୟଙ୍କ ମର ଶରୀର ଫେରାଇ ଆଣିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ରାଜ୍ୟ ଶ୍ରମ କମିଶନରଙ୍କୁ ଚିଠି ଲେଖିଥିଲେ । ଆଜି ଜୟଙ୍କ ମରଶରୀର ଭୁବନେଶ୍ୱରରୁ ଆମ୍ବୁଲାନ୍ସରେ ଜିଲ୍ଲା ଶ୍ରମ ଅଧିକାରୀ ଓ ତାଙ୍କ ଟିମ ଆଣି ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା