ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅପହରଣ ମାମଲାରେ ଫେରାର ଥିବା ଏକ ଦୁର୍ଦାନ୍ତ ଅପରାଧୀକୁ ଧରିବାକୁ ଯାଇ ଦିଗପହଣ୍ଡି ଥାନା ଅଧିକାରୀ ପ୍ରତିଆକ୍ରମଣର ଶିକାର ହୋଇ ସାମାନ୍ୟ ଆହତ ହୋଇଥିବା ବେଳେ ଅପରାଧୀ ଜଣକୁ ଗୁରୁତର ଆହତ ଅବସ୍ଥାରେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସପି କହିଛନ୍ତି । କେ.ନୂଆଗାଁ ଥାନା ଅଧିନସ୍ଥ ବମକୋଇ ଗାଁର ସାଇନାଥ ପ୍ରଧାନଙ୍କ ପୁତ୍ର ଜୟ ପ୍ରଧାନ(ବୟସ ତିରିଶି) କିଛି ଦିନହେଲା କେ ନୂଆଗାଁ, ହିଞ୍ଜିଳି, ବ୍ରହ୍ମପୁର ବଡ଼ବଜ଼ାର, ଜଟଣୀ ଆଦି ଥାନା ଅଞ୍ଚଳରେ ବିଭିନ୍ନ ଅପରାଧୀ ମୂଳକ କାର୍ଯ୍ୟକରି ଏକ ଦୁର୍ଦାନ୍ତ ଅପରାଧୀ ରୂପେ ପରିଚିତ ହୋଇଯାଇଥିଲା । ତା’ନାଁ ରେ ଏସବୁ ଥାନାରେ ପାଖାପାଖି କୋଡିଏଟି ମାମଲା ରହିଥିବା ବେଳେ ଏକ ଅପହରଣ ମାମଲାରେ ପୋଲିସ କିଛି ଦିନ ହେଲା ତାକୁ ଖୋଜୁଥିଲା । ଆଜି ସକାଳେ ଦିଗପହଣ୍ଡି ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଡେ଼ରାଣ୍ଡି ଗାଁ ପାଖରେ ଥିବା ଚାଙ୍ଗୁଡ଼ିଦେଇ ପାହାଡ଼ ଉପରେ ଅଚାନକ ଚଢ଼ାଉ କରିଥିଲା । ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳି ଅପରାଧୀର ବାମ ଗୋଡକୁ ବାଜି ଥିବାବେଳେ ପ୍ରତି ଆକ୍ରମଣରେ ଦିଗପହଣ୍ଡି ଥାନା ଆଇ.ଆଇ.ସି ଦେବାଶିଷ ମହାନ୍ତି ଓ ଅନ୍ୟ ଦୁଇଜଣ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଅତିରିକ୍ତ ଏସପି କହିଛନ୍ତି । ତେବେ ଅପରାଧୀର ଅନ୍ୟଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ପୋଲିସ କହିଛି । ଘଟଣା ସ୍ଥଳରୁ ଏକ ପଲସର ମୋଟର ସାଇକଲ ସହ ଦେଶୀ ବନ୍ଧୁକ,ଅଫୁଟା ବୋମା,ଗୁଳି ଆଦି ଜବତ ହୋଇଥିବା ପୋଲିସ କହିଛି । ଫେରାର ଥିବା ସହଯୋଗୀ କୁ ତୁରନ୍ତ ଧରିବାକୁ ପୋଲିସ ପ୍ରୟାସ ଜାରିରଖିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା