ଦେଶରେ ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧି : ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥଙ୍କ ରଥ ଓ ବାହୁଡା ଯାତ୍ରା ପାଇଁ ଦିନ, ତିଥି ଧାର୍ଯ୍ୟ ହୋଇଛି । ବିଧି ବିଧାନ ଅନୁଯାୟୀ ରଥ ନିର୍ମାଣଠାରୁ ବାହୁଡାଯାତ୍ରା ଶେଷ ପର୍ଯ୍ୟନ୍ତ ପୁରୀ ରାଜାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଥା ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥାରେ ପୁରୀଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଏହାକୁ ସମଗ୍ର ସନାତନ ଧର୍ମ ସହଯୋଗ କରୁଥିବା ବେଳେ ହିନ୍ଦୁଙ୍କ ଆରାଧ୍ୟ ଦେବତାଙ୍କ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ନିକଟରେ ଇସ୍କନଦ୍ୱାରା ମୋମ୍ବାଇର ଶ୍ରୀଜଗନ୍ନାଥ ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇ ଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତି ଓ ବହୁ ଅନୁଷ୍ଠାନ ଏହାକୁ ସମାଲୋଚନା କରିଛନ୍ତି । ଆଜି ବୁଧବାର ଜଳେଶ୍ୱରସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ନୂଆବଜାରସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେବା ସହିତ ଏପରି ଏକ ସଂସ୍କୃତି ବିରୋଧି କାର୍ଯ୍ୟକୁ ସମାଲୋଚନା କରିଥିଲେ । ସେଠାରେ ଆୟୋଜିତ ସଭାରେ ଚନ୍ଦ୍ର ମୋହନ ରାଉଳ ସଭାପତିତ୍ୱ କରିଥିବା ବେଳେ ମନୋରଂଜନ ଦାସ, ଖଡଗପୁରସ୍ଥିତ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତିର ମୁଖ୍ୟ ଦ୍ୱାରକେଶ ପ୍ରସାଦ ପଟ୍ଟନାୟକ, କମଳ ଚକ୍ରବର୍ତ୍ତୀ, ବ୍ରଜଗୋପାଳ ରାଉତ, ଅଶୋକ ଦାସ, କୁମାର ସତ୍ୟଜିତ୍ ବେଜ ଓ ଅନନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏ ସଂପର୍କରେ ଜଳେଶ୍ୱର ଇସ୍‌କନ୍ ମନ୍ଦିରର ମୁଖ୍ୟ ସେବକ ଚନ୍ଦନ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଇସ୍କନ ମଧ୍ୟ ଜଗନ୍ନାଥ ସଂସ୍କୃତିରେ ରଥଯାତ୍ରା ପ୍ରଥାକୁ ସ୍ୱାଗତ କରେ କିନ୍ତୁ ସ୍କନ୍ଧ ପୁରାଣ ଅନୁଯାୟୀ ବସନ୍ତ ପଂଚମୀରେ ଏହି ରଥଯାତ୍ରା ବମ୍ବେରେ ପ୍ରଶାସନୀକ ଅନୁମତି ନେଇ ଅନୁଷ୍ଠିତ କରିଛି ।

ରିପୋର୍ଟ : ଭୂପତି କୁମାର ପରିଡା