ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନୀ ବାତ୍ୟା ଓଡ଼ିଶାରେ ବହୁ କ୍ଷୟକ୍ଷତି ଘଟାଇଛି । ଫନୀ ବହୁ ଗଛ, ଘର, ବିଦ୍ୟୁତ ଖୁଣ୍ଟ ଉପାଡି ପକାଇ ଦେଇଛି । ଯାହା ଫଳରେ ବିଦ୍ୟୁତ ନାହିଁ ଚାରିଆଡେ ଅନ୍ଧକାର, ପାନୀୟଜଳ ନାହିଁ, ଲୋକଙ୍କ ଘର ଭାଙ୍ଗି ଯିବାରୁ ବାହାରେ ଜୀବନ ବିତାଉଛନ୍ତି । କିଛି ଲୋକଙ୍କୁ ଖାଇବାକୁ ଖାଦ୍ୟ ବି ମିଳୁନାହିଁ ଯାହାଫଳରେ ଭୋକ ଉପବାସରେ ଜୀବନ ଜାପନ କରୁଛନ୍ତି । ପାଣି ପାଇଁ ହାହାକାର । ଏହି ଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଏବଂ ବହୁ ସଂସ୍ଥା ପକ୍ଷରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ତଥାପି ଏତେ ପରିମାଣରେ କ୍ଷୟକ୍ଷତି ଘଟିଛି ଯେ ଯାହାର ସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍ଣ୍ଣ ରୂପେ ସୁଧାର ହୋଇନାହିଁ । ଏହି ଅବସରରେ ଫନୀ ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୯ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର ଠାରେ ଡିଆରଡିଏ ଏପିଡ଼ି (ଗଂଜାମ) ଦେଵବ୍ରତ ସାହୁ ଓ ଡୁଡା ପିଡ଼ି (ଗଞ୍ଜାମ) ସବ୍ୟସାଚୀ ହୋତା ଏକ ଚେକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲାପ୍ରସାଶନ ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲାବାସୀଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ “ଫନୀ” ବିପନ୍ନଙ୍କୁ ସହାୟତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୮ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୨ଲକ୍ଷ ଏବଂ ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୯ ଲକ୍ଷ ସମୁଦାୟ ୭୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହ ବିପନ୍ନମାନଙ୍କ ପାଇଁ ଟ୍ରଙ୍କ ଟ୍ରକ ବିଭିନ୍ନ ରିଲିଫ ସାମଗ୍ରୀ ପଠାଯାଇଛି । ସ୍ୱାସ୍ଥ୍ୟ, ସଫେଇ, ଜଳ ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ବହୁ ବିଭାଗ କର୍ମଚାରୀମାନଙ୍କ ସହ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା