ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ଟି ଆସନ ପାଇଁ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ୫ଟି ଲୋକସଭା ଆସନ ହେଲା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା । ଏହା ଅଧୀନରେ ଥିବା ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବି ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୫ ଲୋକସଭାରେ ୩୫ ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି । ସେହିପରି ୩୫ଟି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୪୪ ଜଣ ପ୍ରାର୍ଥୀ। ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୫ ଲୋକସଭା ଆସନର ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୯ ଲକ୍ଷ ୪୫ ହଜାର ୨୫ ପୁରୁଷ ଭୋଟର ଥିବା ବେଳେ ୩୭ ଲକ୍ଷ ୪୭ ହ ଜାର ୪୯୩ ମହିଳା ଭୋଟର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୯ ହଜାର ୧୧୭ଟି ପୋଲିଂ ବୁଥ୍ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ମାଓ ପ୍ରବଣ ଓ ସମ୍ବେଦନଶୀଳ ବୁଥ୍ ଗୁଡିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ତେବେ ମତଦାନ ଆରମ୍ଭରୁ କିଛି ବୁଥ୍ରେ ଇଭିଏମ୍ ଅଚଳ ହେବା ନେଇ ଖବର ଆସି ପହଞ୍ଚିଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନଂ ବୁଥ୍ରେ ଇଭିଏମ୍ ଅଚଳ ହୋଇଛି । ସେହିପରି ଆଗଲପୁର ଗାଁର ୫୧ ନଂ ବୁଥ୍ରେ ମଧ୍ୟ ଇଭିଏମ୍ ଅଚଳ ହୋଇଛି । ଫୁଲବାଣୀରେ ୨ଟି ବୁଥ୍ରେ ଇଭିଏମ୍ ଅଚଳ ହୋଇଛି । ଏହି ବୁଥ୍ ଗୁଡ଼ିକ ହେଉଛି ବୁଥ୍ ନଂର ୧୧୩ ଓ ୧୦୧। ଇଭିଏମ୍ ଅଚଳ ହୋଇଥିବା ଯୋଗୁ ସେଠାରେ ମତଦାନ ବିଳମ୍ୱିତ ହୋଇଛି ।କଣ୍ଟାବାଞ୍ଜିର ବୁଥ୍ ନଂ ୬୭ରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି । ଟିଟିଲାଗଡ଼ରୁ ନଳଆ ଇଭିଏମ୍ ଆସିବା ପରେ ସେଠାରେ ମତଦାନ ହେବ ବୋଲି ଜଣାପଡ଼ିଛି । ମତଦାନ ପାଇଁ ବୁଥ୍ ବାହାରେ ଭୋଟର୍ ଅପେକ୍ଷା କରି ରହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା