ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜଳେଶ୍ୱର ନୂଆବଜାର ଭଂଜ ମଣ୍ଡପଠାରେ ପୌରପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବର୍ଯ୍ୟବସ୍ତୁ ଗୁଡିକୁ ସଫେଇ କର୍ମଚାରୀମାନେ ଘରକୁ ଘର ଯାଇ ସଂଗ୍ରହ କରି ଆଣିବେ ବୋଲି ଆଲୋଚିତ ହୋଇଥିଲା । ଡ୍ରେନ ଗୁଡିକରେ କାଚ ଏବଂ ଟିଣ ପଦାର୍ଥ ପକା ନ ଯିବାପାଇଁ ସଚେତନ କରାଯାଇଥିଲା । ପୌର ପରିଷଦ ପକ୍ଷରୁ ବର୍ଯ୍ୟବସ୍ତୁ ଗୁଡିକୁ ୬୦ନଂ ଜାତୀୟ ରାଜପଥ କଡରେ ପକାଯିବାରୁ ପରିବେଶ ଦୁଷିତ ହେବା ସହିତ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା । ଏହି ସମସ୍ୟାକୁ ପରିଲକ୍ଷିତ କରି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଖୁଆର୍ଡ ମୌଜାର ଖାତା ନଂ ୧୧୦୦ ଓ ପଲ୍ଟ ନଂ ୩୩୬୬ରେ ଥିବା ୫ ଏକର ୮ଡିସିମିଲ ସରକାରୀ ଜମିରୁ ୨ ଏକର ଜମି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ବୋଲି ନିର୍ବାହି ଅଧିକାରୀ ହୃଷିକେଶ ପାଣି ଏହି ପରିପ୍ରେକ୍ଷିରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କନିଷ୍ଟ ଯନ୍ତ୍ରୀ ସୁଦର୍ଶନ ଘଡେଇ, ବୁଦ୍ଧିରାମ ସିଂ, ପରିମଳ ବିଭାଗର ଭୁପେନ୍ କୁମାର ଦାସ, ଜାଗା ମିଶନର ମୁଖ୍ୟ କାଶିନାଥ ସେଠୀ, ପରମାନନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ପୌରପରିଷଦର ବର୍ଜ୍ୟବସ୍ତୁ ଗୁଡିକ ପ୍ରଥମେ ସୁଗୋ ପଂଚାୟତର ଧାନ ସିମୁଳିଆ ଗାଁରେ ରିସାଇକ୍ଲିଂ ହେବା ପାଇଁ ଯୋଜନା ରହିଥିବା ବେଳେ ଅଧିକ ଟଙ୍କା ଖର୍ଚ୍ଚକରି ସହର ଠାରୁ ୨୦ କିମି. ଦୂର ଖୁଆର୍ଡ ଅଂଚଳକୁ ବର୍ଯ୍ୟବସ୍ତୁ ଗୁଡିକୁ ପରିବହନ କରିବା କେତେଦୂର ଯୁକ୍ତି ଯୁକ୍ତ ତାହା ସାଧାରଣରେ ଆଲୋଚନା ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା