
ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିକୂଳ ପାଗ ଓ ଛକଡାପୋକ ଦାଉରୁ ଚାଷୀ ତାର ଖରିଫ ଧାନ ଫସଲ ଅମଳ କରି ସାରିଥିଲେ ମଧ୍ୟ ଏଯାବତ୍ ପୋସ୍କ ମାଧ୍ୟମରେ ଧାନ ମଣ୍ଡି ଖୋଲା ଯାଇ ନାହିଁ । ଧାନ ଅମଳ ପରେ ଚାଷୀ କରଜ କରିଥିବା ଅର୍ଥ ପୈଠ କରିବାଲାଗି ବାଧ୍ୟ ହେଉ ଥିବା ବେଳେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି । ମାତ୍ର ଧାନମଣ୍ଡି ଖୋଲାଯିବାର ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ସ୍ଥାନୀୟ ଶାସକ ଦଳର ନେତାକୁ ଦାୟି କରି ଆଜି ଜଳେଶ୍ୱର ବିଜେପି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଧାନ କିଣା ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା କଟନି ଛଟନି, ବୁରା ଫେରସ୍ତ ନ ଦେବା, ଏଫଏକ୍ୟୁ ଠିକ୍ଭାବେ ନିର୍ଦ୍ଧାରଣ ନ ହେବା, ଓଜନ/ବସ୍ତାରେ ଭତ୍ତି କରିବା/ବୋଝେଇ କରିବା ଅର୍ଥ ସରକାର ଦେଉନଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ଆସନ୍ତା ୨ ତାରିଖ ସୁଦ୍ଧା ଧାନ ମଣ୍ଡି ଖୋଲା ନ ଗଲେ କୃଷକଙ୍କ ସ୍ୱାର୍ଥରକ୍ଷା ଲାଗି ରାଜରାସ୍ତାକୁ ଓହ୍ଲାଇବା ସହିତ ଜଳେଶ୍ୱର ବିଧାୟକଙ୍କ ବାସଭବନ ଆଗରେ ଧାନଗଦା କରି ପ୍ରତିବାଦ କରିବେ ବୋଲି କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆ ଯାଇଛି । ବିଜେପି ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ତନ୍ମୟ ଚାନ୍ଦ, ପ୍ରଦୀପ ମହାନ୍ତି, ଗୌରଗୋପାଳ ଦାସଅଧିକାରୀ, ବିଶ୍ୱରୂପ ଦାସ, ତରୁଣ ପଟ୍ଟନାୟକ, ହରିପଦ ମାନ୍ନା, ଏସ୍କେ ସୁଲତାନ, ଅଭିପ୍ସା ଦାସ, ଅରୁଣା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ଜିଲାର ଡିଏଲପିସି ବୈଠକ ଅନୁଯାୟୀ ନିର୍ଦ୍ଧାରିତ ତାରିଖରୁ ଧାନ କ୍ରୟ କରାଯିବ ବୋଲି କହିଥିଲେ ।
ରିପୋର୍ଟ : ଭୂପତି ପରିଡା