ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ । ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବାରୁ ସଙ୍ଗଠନ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେ କହିଛନ୍ତି,“ଚାଷୀଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସଂଗଠନ ଏଥର ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନକୁ ବିରୋଧ କରିବ । ଏଥିପାଇଁ ଏପ୍ରିଲ ୨ରୁ ୨୨ ଯାଏ ଲୋକଙ୍କୁ ସଚେତନ କରାଯିବ । ଗାଁ ଭିତରକୁ ପୋଲିଂ ଅଫିସରଙ୍କୁ ପୂରାଇ ଦିଆଯିବନି । ପୋଲିଂ ଗାଡ଼ି ଆଗରେ ଶୋଇବୁ । ଏଥିପାଇଁ ଆମକୁ ଜେଲ୍ ଯିବାକୁ ପଡ଼ିଲେ, ଆମେ ଯିବୁ ।” ସୂଚନାରୁ ପ୍ରକାଶ, ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଦୀର୍ଘ ଦିନରୁ ଦାବି କରିଆସୁଛି । ମାତ୍ର ରାଜ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସେଥିପାଇଁ ଚାଷୀମାନେ ନିର୍ବାଚନରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।