ନବନିର୍ମାଣ କୃଷକ ସଂଗଠନ ତରଫରୁ ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଶ୍ରମ କମିଶନରଙ୍କୁ ଦାବି ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଶ୍ରମିକମାନେ ଦାଦନ ଖଟିବାକୁ ଯାଇ ଦୁବାଇରେ ବନ୍ଦୀ ହୋଇ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ମାଣିକପୁର ଓ କୈରାଶି ଗାଁର ୧୮ ଜଣ ଶ୍ରମିକ ଦାଦନ ଖଟିବାକୁ ଦୁବାଇ ଯାଇ ଫସିଯାଇଛନ୍ତି । ଗାଁର ଜଣେ ଦଲାଲ ମାସିକ ୩୫ ହଜାର ଟଙ୍କା ଦିଆଯିବ ବୋଲି କହି ୭ ମାସ ତଳେ ଦୁବାଇ ନେଇଥିଲେ । ତେବେ ସେଠାରେ କାମ ବଦଳରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରି କି ଖାଇବାକୁ ଦେଉନଥିବା ଓ ଏହାର ପ୍ରତିବାଦ କଲେ ମାଡ଼ ମରାଯାଉଥିବା ମଧ୍ୟ ଶ୍ରମିକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ଏନେଇ ଫସି ରହିଥିବା ଶ୍ରମିକମାନେ ଏକ ଭିଡିଓ ଜରିଆରେ ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକଙ୍କୁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ଖବର ପାଇ ନବନିର୍ମାଣ କୃଷକ ସଂଗଠନ ତରଫରୁ ଆଜି ଫସି ରହିଥିବା ଶ୍ରମିକଙ୍କ ପରିବାରର ଲୋକଙ୍କ ସହ ଶ୍ରମ କମିଶନରଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି । ଏହାସହ ଗଞ୍ଜାମ ପ୍ରଭାରୀ ସଚିନ ମହାପାତ୍ର ଓ ସମାଜସେବୀ ପ୍ରତାପ ପ୍ରଧାନ ଶ୍ରମ କମିଶନଙ୍କୁ ସାକ୍ଷତ କରି ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ପାଇଁ ଦାବୀ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା