ଫେବୃୟାରୀ ୬ରେ ଭୂବନେଶ୍ୱର ଚାଲର ଡାକରା,ଚାଷୀର ପେନସନ୍ ନାହିଁ ତ ଭୋଟବକ୍ସ ନାହିଁ:ନବନିର୍ମାଣ କୃଷକ ସଂଗଠନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଆସନ୍ତା ୬ ତାରିଖରେ ଭୁବନେଶ୍ୱର ଯାଇ ବିଧାନସଭା ସମ୍ମୁଖରେ ଏକ ଚାଷୀ ସମାବେଶ କରିବା ସହ ୭ ତାରିଖରୁ ଅର୍ଥନୈତିକ ଅବରୋଧର ଡ଼ାକରା ଦେଇଛନ୍ତି । ଯାହାଦ୍ୱାରା ଜନସାଧାରଣ ଯିବା ଆସିବା କରିପାରିବେ କିନ୍ତୁ କୌଣସି ଖାଦ୍ୟ ଓ ପାନୀୟ ଦ୍ରବ୍ୟ ଭୂବବେଶ୍ୱରକୁ ଓ କଟକକୁ ପ୍ରବେଶ କରାଇ ଦିଆଯିବ ନାହିଁ, ଯେତେ ଦିନ ପର୍ଯ୍ୟନ୍ତ ସେମାନେ ଖାଦ୍ୟ ଏବଂ ଚାଷୀର ମହତ୍ୱ ନ ବୁଝିଛନ୍ତି ସେ ପର୍ଯ୍ୟନ୍ତ ଏହି ଅବରୋଧ ଚାଲିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେଣୁ ଗଞ୍ଜାମ ଜିଲ୍ଲା ପ୍ରଭାରୀ ସଚିନ୍ ମହାପାତ୍ର ସମସ୍ତ ଜନସାଧାରଣମାନଙ୍କୁ ଚାଷୀମାନଙ୍କର ସମସ୍ୟାର ସମାଧାନ ଓ ଓଡ଼ିଶାକୁ ସ୍ୱାଭିମାନ କରିବାକୁ ନେଇ ଏହି ଲଢ଼େଇରେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଭାରୀ ସଚିନ୍ ମହାପାତ୍ରଙ୍କ ସମେତ ଜିଲ୍ଲା ଉପଦେଷ୍ଟା ରମେଶ ଚନ୍ଦ୍ର, ପୁରୁଷୋତମପୁର ସଂଯୋଜକ କୈଳାସ ଚନ୍ଦ୍ର ପାତ୍ର, ପୋଲସରା ସଂଯୋଜକ ସନ୍ତୋଷ ମଲିକ, ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର, ଲୋକନାଥ ଦଳେଇ, ବୁଗୁଡ଼ା ସଂଯୋଜକ ସନ୍ତୋଷ ସାହୁ, ଧରାକୋଟ ସଂଯୋଜକ ବିଜୟ ବାରିକ, ଛାତ୍ର ପ୍ରମୁଖ ସୁବୋଧ ସୁମନ୍ ସ୍ୱାଇଁ, ଅକ୍ଷୟ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ବରଗଡ଼ ଚାଷୀ ସମାବେଶରେ ଚାଷୀମାନଙ୍କ ଧାନରେ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ସୁଦ୍ଧା ପୂରଣ କରି ନ ଥିବା ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ପୂର୍ବରୁ ସଂଗଠନର ଗଞ୍ଜାମ ଶାଖାର ୩୦ ହଜାରରୁ ଉର୍ଦ୍ଧ୍ୱ କୃଷକ ଆରଡ଼ିସିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଗତ ୨୦୧୮ ଅକ୍ଟୋବର ୨୯ ଓ ନଭେମ୍ବର ୫ ରେ ସଂଗଠନ ପକ୍ଷରୁ ଐତିହାସିକ ପଦଯାତ୍ରାରେ ବାଲୁଗାଁ ଠାରୁ ଭୂବନେଶ୍ୱର ଯାଇ ୨୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ସାମିଲ୍ ହୋଇଥିଲେ । ସେହିଭଳି ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବ୍ଲକ୍ ଘେରାଉ, ତିତିଲି କ୍ଷୟକ୍ଷତି ପୂରଣ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୪ ଘଣ୍ଟା ତାଲା ପକାଇଥିଲେ । ଏପରିକି ଚାଷୀମାନେ ଭୂବନେଶ୍ୱର ପଦଯାତ୍ରାରେ ଯିବା ସମୟରେ ୧୪୪ ଧାରା ଜାରି କରି ପୋଲିସ୍ ସହାୟତାରେ ଚାଷୀମାନଙ୍କୁ ଅଟକାଇ ଥିଲେ । ଯାହାକି ସରକାରଙ୍କ ଚାଷୀମାରଣ ନୀତି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ କାଳିଆ ଯୋଜନା ମାଧ୍ୟମରେ ଭୋଟ ହାତେଇବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ୫ ହଜାର ନୁହେଁ ବରଂ ମାସକୁ ୫ ହଜାର ଟଙ୍କା ଦିଆଯାଉ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି । ଯଦି ଏହା ନ ହୁଏ ତେବେ ଭୋଟବକ୍ସ ନାହିଁ ବୋଲି କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା