ନବୀନ ଏକନମ୍ବର ପ୍ରତାରକ ଓ ବିଶ୍ୱାସଘାତକ ବୋଲି ଅଭିଯୋଗ କଲା କଂଗ୍ରେସ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ନବୀନ ଏକନମ୍ବର ପ୍ରତାରକ ଓ ବିଶ୍ୱାସଘାତକ ବୋଲି ଅଭିଯୋଗ କରିଛି କଂଗ୍ରେସ 
। ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପ୍ରତାରଣା କରି ଆସିଛନ୍ତି । ଯୁବକଯୁବତୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିଶ୍ୱାସଘାତକତାକୁ ଖୋଦ ମୁଖ୍ୟ ସଚିବ ଧରାପକାଇ ଦେଇଛନ୍ତି । ନିଜର ବିଫଳତା ଲୁଚାଇବା ଓ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ୩ଦିନିଆ ବିକ୍ଷୋଭ ଓ ପ୍ରତିବାଦ ଏକ ଡ୍ରାମା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ଏହା ସହିତ ବିଜେଡିକୁ ମଧ୍ୟ କଂଗ୍ରେସ ପକ୍ଷରୁ ୬ଟି ପ୍ରଶ୍ନ କରାଯାଇଛି । ପିସିସି ମୁଖ୍ୟାଳୟରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବୀନ ହେଉଛନ୍ତି ଏକ ନମ୍ବର ପ୍ରତାରକ ଓ ବିଶ୍ୱାସଘାତକ । ୨୦୧୪ ମସିହା ସାଧାରଣ ନିର୍ବାଚନ ପରେ ବିଜେଡି ସରକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହେବା ପରେ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଗତ ୫ ତାରିଖରୁ କେନ୍ଦ୍ର ସରକାର ବିରୋଧରେ ତିନି ଦିନିଆ ପ୍ରତିବାଦ ନାଟକ ଚଳାଇଛି । ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକର ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦୀର୍ଘ ୪ ବର୍ଷରେ ବିଭିନ୍ନ ସରକାରୀ ବିଭାଗ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ ୫୦ ହଜାର ପଦ ପଦବୀରେ ଯୋଗ୍ୟ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଚାକିରି ଦିଆନଯାଇ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ଅର୍ଥାତ୍ ୪ ବର୍ଷରେ ୫୦ ହଜାର ଓଡ଼ିଆ ପିଲା ସରକାରୀ ଚାକିରୀରୁ ବଞ୍ଚିତ ହୋଇଛନ୍ତି । ଏହି ଘଟଣା ବିଜେଡି ସରକାରର ଓଡ଼ିଆ ଯୁବକ ମାରଣ ନୀତିର ସ୍ପଷ୍ଟ ପ୍ରମାଣ ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି । ନିଯୁକ୍ତି କ୍ଷେତ୍ରରେ ନିଜର ବିଫଳତାକୁ ଲୁଚାଇବା ଓ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ବିଜେଡି ଏଭଳି ବିିକ୍ଷୋଭ କରୁଛି ବୋଲି କଂଗ୍ରେସ କହିବା ସହ ଦଳ ପକ୍ଷରୁ ବିଜେଡିକୁ ୬ଟି ପ୍ରଶ୍ନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ହିମାଂଶୁ ଲେଙ୍କା, ଅଶୋକ ସାମଲ, ନିକୁଞ୍ଜ ପଶାୟତ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି । କଂଗ୍ରେସର ଛଅଟି ପ୍ରଶ୍ନ ହେଲା –

୧- ଓଡ଼ିଶା ସରକାରଙ୍କ ସହାୟତାରେ ଯେତିକି ବେସରକାରୀ ଶିଳ୍ପାନୁଷ୍ଠାନ ସ୍ଥାପନ ହୋଇଛି ସେଥିରେ ଓଡ଼ିଶାର କେତେ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି ?
୨- ଓଡ଼ିଶାର ଯୁବକଯୁବତୀଙ୍କୁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସେମାନଙ୍କ ସହ କୌଣସି ଏମଓୟୁ କିମ୍ବା ନିର୍ଦ୍ଧିଷ୍ଟ ନୀତି ପ୍ରଣୟନ କରିଛନ୍ତି କି ?
୩- କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରି ଆଞ୍ଚଳିକତାବାଦକୁ ବିଜେଡି ପ୍ରୋତ୍ସାହିତ କରୁନାହିଁ ତ ? ଏଭଳି ଦାବି ସବୁ ରାଜ୍ୟରେ ଉଠିଲେ ଓଡ଼ିଆମାନେ ରାଜ୍ୟ ବାହାରେ ଲାଂଛିତ ହେବେ ନା ନାହିଁ  ?
୪- ଓଡ଼ିଶାର କେତେ ଯୁବକଯୁବତୀ ଦେଶର ପ୍ରମୁଖ ସହରଗୁଡ଼ିକରେ କାର୍ଯ୍ୟ କରୁଛନ୍ତି ତା’ର ଆକଳନ ଓଡ଼ିଶା ସରକାର କରିଛନ୍ତି କି ?
୫- ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସହ ଏମଓୟୁ ବେଳେ ସେଥିରେ ନିଯୁକ୍ତି ପାଇଁ ନବୀନ ପଟ୍ଟନାୟକ କୌଣସି ବ୍ୟବସ୍ଥା କଲେନି କାହିଁକି ?
୬- କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକରେ ରାଜ୍ୟ ସରକାରଙ୍କୁ ନିଯୁକ୍ତି ସୁଯୋଗ ଦେବା ଏକ କେନ୍ଦ୍ରୀୟ ପ୍ରସଙ୍ଗ ହୋଇଥିବାବେଳେ ସଂସଦରେ ବିଜେଡିର ଜଣେ ବି ସାଂସଦ ଏନେଇ ପ୍ରଶ୍ନ କରିଛନ୍ତି କି ?

ରିପୋର୍ଟ : ଶରତ ବେହେରା