ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଉଭୟ ଚାଷୀ ବିରୋଧୀ : ସି.ପି.ଆଇ.(ଏମ୍)…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ନୀତି ଯୋଗୁଁ ଚାଷୀ ଓ ଚାଷ ବିପଦରେ । ସରକାରୀ ନୀତି ଯୋଗୁଁ ଚାଷୀ ଆମହତ୍ୟା କରୁଛି ଓ ଚାଷୀ ପରିବାର ସର୍ବସ୍ୱାନ୍ତ ହେଉଛି । ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିବା ଦିନ ହିଁ ପ୍ରଥମ କାମ ହେବ ଚାଷୀମାନଙ୍କୁ ଋଣ ମୁକ୍ତ କରିବା । ମାତ୍ର ତାହା କଲେନାହିଁ । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିକଳ ବିଜେପିର ରାସ୍ତା ଧରିଛନ୍ତି । ନବୀନ ବାବୁ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରି ଜମି, ପାଣି, ବିଦ୍ୟୁତ ଓ ଖଣିଜ ସମ୍ପଦ ଯୋଗାଇବା ପାଇଁ ପ୍ରତିଶୃତି ଦେଉଛନ୍ତି, ଅଥଚ ଚାଷୀମାନଙ୍କୁ ଋଣମୁକ୍ତ କରିବାକୁ ରୋକ୍ଠୋକ୍ ନାହିଁ କରିଛନ୍ତି ତେଣୁ ଉଭୟ ନବୀନ ଓ ମେଦି ଚାଷୀ ବିରୋଧୀ ବୋଲି ସିପିଆଇଏମ୍ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ପ୍ରକାଶ କରିଛନ୍ତି । ସି.ପି.ଆଇ.(ଏମ୍) ପକ୍ଷରୁ ଆଗାମୀ ୫ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ଓ ଚାଷୀମାନଙ୍କୁ ଋଣମୁକ୍ତ କରିବା, ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ଫସଲର ଦାମ ଦେବାକୁ ଦାବୀକରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ଶ୍ରୀ ପତି କହିଛନ୍ତି । ସେ କହିଛନ୍ତି ଯେ ବିଜେଡି ଦଳ ଚାଷୀମାନଙ୍କ ଫସଲର ଅଧିକ ଦାମ ପାଇଁ ପାର୍ଲାମେଂଟ ଘେରାଉ କରିବ ବୋଲି ପ୍ରଥମେ ଘୋଷଣା କଲେ । ତା ପରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇ, ଘୋଷଣା କରାଗଲା ଦିଲ୍ଲୀର ଯନ୍ତର ମନ୍ତରଠାରେ ଧାରଣା ଦେବେ । ଏବେ ସେ ପ୍ରୋଗ୍ରାମ ବାତିଲ କରି ଚାଷୀ ସମାବେଶ ଦିଲ୍ଲୀରେ କରିବେ ବୋଲି କହିଛନ୍ତି । ବିଜେଡିର ସଦସ୍ୟମାନେ ପାର୍ଲାମେଂଟ ଭିତରେ ଏ ପ୍ରସଙ୍ଗକୁ ନ ଉଠାଇ, ବିଜେପି ସରକାରର ନୀତିକୁ ବିରୋଧ ନକରି ଏ ପ୍ରକାର ପ୍ରହସନ କାହିଁକି କରୁଛନ୍ତି । ବିଜେପି ବିରୋଧରେ ପାର୍ଲାମେଂଟ ଭିତରେ ଓ ବାହାରେ ସ୍ୱର ଉଠାଇବାକୁ ବିଜେଡି ପଦକ୍ଷେପ ନେଉନାହିଁ । ତେଲୁଗୁ ଦେଶମ ପାର୍ଟି କେନ୍ଦ୍ର ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲାବେଳେ ବିଜେଡି ସଦସ୍ୟମାନେ ଲୋକସଭା ଛାଡି ପଳାଇ ଆସି ପରୋକ୍ଷ ଭାବେ ବିଜେପି ସରକାରକୁ ସମର୍ଥନ ଦେଲେ । ଏବେ ରାଜ୍ୟର ଚାଷୀମାନଙ୍କୁ ଭଣ୍ଡାଇବା ପାଇଁ ଏ ପ୍ରହସନ କରୁଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର